ଆଖି ବୁଜିଲେ ଅସହାୟ ବୃଦ୍ଧା ଯଶୋଦା: ମାନବିକତା ଦେଖାଇଲେ ବଜରଙ୍ଗ ଦଳ ସେବା ସଂଘ ଓ ଗଜାନନ ଯୁବକ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ୍ ରେଗଡ଼ା ଗ୍ରାମ ପଞ୍ଚାୟତ ଭୋଇପଡ଼ା ଗାଁରେ ଅସହାୟ ବୃଦ୍ଧା ଯଶୋଦା ଭୋଇ (୭୯) ଶନିବାର ଦିନ ତାଙ୍କ କୁଟୀରରେ ମୃତ୍ୟୁ ବରଣ କରିଥିଲେ। ଅସହାୟ ଯଶୋଦା ଦୀର୍ଘ ଦିନ ଧରି ଏହି ଗାଁ ରେ ବସବାସ କରୁଥିଲେ। ତାଙ୍କର କେହି ସମ୍ପର୍କୀୟ ନଥିଲେ । ସେ ସରକାରଙ୍କ ୫ କିଲୋଗ୍ରାମ ଚାଉଳ ଓ ବର୍ଦ୍ଧକ୍ୟ ଭତ୍ତା ୧୨୦୦ ଟଙ୍କାରେ ବହୁତ କଷ୍ଟରେ ଜୀବନ ନିର୍ବାହ କରୁଥିଲେ। ଶନିବାର ସକାଳୁ ସେ ତାଙ୍କ କୁଡିଆ ଘରୁ ବାହାରକୁ ନ ବାହାରିବାରୁ ଉକ୍ତ ଗାଁର ନରେଶ ମଲ୍ଲିକ ଘର ଭିତରକୁ ପଶିଥିଲେ। ଭିତରେ ଭଙ୍ଗା ଖଟିଆରେ ମୃତ ଅବସ୍ଥାରେ ପଡିରହିଥିବା ଦେଖି ପ୍ରଥମେ ସମାଜସେବୀ ସରୋଜ ସାହୁ ଓ ତାପରେ ସରପଞ୍ଚଙ୍କୁ ଜଣାଇଥିଲେ। ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ବ୍ଲକ୍ ପ୍ରଶାସନ କୁ ଯୋଗାଯୋଗ କରିଥିଲେ। ତହସିଲଦାର ଅରୁଣ ବର୍ଗେ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା, ଗ୍ରାମ ପଞ୍ଚାୟତ ଅଧିକାରୀ ବସନ୍ତ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଯାଞ୍ଚ କରିଥିଲେ। ବୟସାଧିକ ଯୋଗୁଁ ଶରୀର ଦୁର୍ବଳ ହୋଇ ମୃତ ହୋଇଥିବା ତହସିଲଦାର ମତବ୍ୟକ୍ତ ଦେଇଥିଲେ। ଶବ ସତ୍କାର ପାଇଁ ଯଶୋଦାଙ୍କର କେହି ନ ଥିବାରୁ ସମାଜସେବୀ ସରୋଜ ସାହୁ, ବଜରଙ୍ଗ ଦଳ ମାନବ ସେବା ସଙ୍ଘ, ସାପଲହରା ଯୁବକ ସଂଘ, ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା , କେଶବ ପରିଡା, ବସନ୍ତ କମ୍ପ, ନରେଶ ବାଗ, ସାମ୍ୱାଦିକ ଧନୁର୍ଯ୍ୟ ସାହୁ, ଅଶୋକ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଶବ ସତ୍କାର କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶବକୁ ନିକଟସ୍ଥ ଉତେଇ ନଦୀ କୂଳରେ ସତ୍କାର କରାଯାଇଥିଲା। ଶେଷରେ ଶ୍ରୀ ମିଶ୍ର ଉଭୟ ସଂଘ ର ମହତ କର୍ଯ୍ୟ ପାଇଁ ପ୍ରସଂଶା କରି ଆଗାମୀ ଦିନରେ ନିସ୍ୱାର୍ଥ ପର ଭାବରେ ଆଗେଇ ଆସିବାକୁ ପରାମର୍ଶ ଦେଲେ। ଏଭଳି କାର୍ଯ୍ଯ ପାଇଁ ଦୁଇ ସଂଘର କର୍ମକର୍ତ୍ତାଙ୍କୁ ବୁଦ୍ଧିଜିବୀ ମହଲରୁ ଭୂରି ଭୂରି ପ୍ରଶଂସାର ସୁଅ ଛୁଟିଛି। ହରିଶ୍ଚନ୍ଦ୍ର ଯୋଜନାରୁ ୩୦୦୦ ଟଙ୍କା, ରେଡକ୍ରସ ପାଣ୍ଠିରୁ ୫୦୦୦ ଓ ବ୍ଲକ ପ୍ରଶାସନ ତରଫରୁ ୫୦୦୦ ଟଙ୍କା ପ୍ରଦାନ କରାଯିବ ପାଇଁ ତହସିଲଦାର ପ୍ରତିଶୃତି ଦେଇ ସ୍ଵର୍ଗତ ଯଶୋଦାଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ଅନୁରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.