କଳାହାଣ୍ଡି/କର୍ଲାମୁଣ୍ଡା,୧୬/୭ : ସନାତନ ସଂସ୍କୃତିରେ ଗୁରୁଙ୍କ ଆସନ ସର୍ବଦା ଉପରେ ରହିଥାଏ । ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହାଦେବଙ୍କ ସହ ତୁଳନା କରାଯାଏ । ପବିତ୍ର ଗୁରୁ ପୂର୍ଣିମା ଅବସରରେ କୁଶୁର୍ଲା ଶିଶୁ ମନ୍ଦିରରେ ଅଧ୍ୟୟନ ରତ ଶିକ୍ଷାର୍ଥୀ ମାନଙ୍କୁ ଗୁରୁ ପୂର୍ଣିମାର ମହତ୍ବ, ବର୍ତ୍ତମାନ ସମୟରେ ଗୁରୁଙ୍କ ପ୍ରାଧାନ୍ୟ ସହ ସେମାନଙ୍କ କୋମଳ ମନକୁ ଛୁଇଁଲା ପରି ଉପଦେଶାତ୍ମକ ବିଷୟ ବସ୍ତୁର ଅବତାରଣ କରିଥିଲେ ବ୍ୟାସ ସମ୍ରାଟ ଅଜିତ କୁମାର ଦାଶ ।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଶିଶୁ ମନ୍ଦିରରେ ଆୟୋଜିତ ଗୁରୁ ପୂର୍ଣିମା ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାସ ସମ୍ରାଟ ଅଜିତ କୁମାର ଦାଶ ଏହି ବିଷୟ ସବୁର ଅବତାରଣ କରିଥିଲେ । ଶିଶୁ ମନ୍ଦିର ପରିଚାଳନା ପରିଷଦ ସଭାପତି ଡକ୍ଟର ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅମର +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁଙ୍କ ଆବଶ୍ୟକତା ସମନ୍ଧରେ ଆଲୋଚନା କରିଥିଲେ । ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କୈଲାସ ପଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଶିଷ୍ଟ ଶିକ୍ଷାବିତ କୃଷ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
ଉକ୍ତ ଗୁରୁ ପୂର୍ଣିମା ଉତ୍ସବରେ ଶିଶୁ ମନ୍ଦିରର ସମ୍ପାଦକ ପ୍ରତାପ କିଶୋର ସାହୁ, ପୂର୍ବତନ ସଭାପତି ଜନ୍ମେଜୟ ସାହୁ, ଅରୁଣ କୁମାର ବେହେରା, ଗଣନାଥ ବେହେରା, ବୈଷ୍ଣବ ବନଛୋରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅବିଭାବକ ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେଶବ ଭୋଇ, ଚୁଡାମଣି ସାହୁ, ରଜନୀ ଭୋଇ, ଗୋକୁଳ ସାହୁ, ଜ୍ୟୋତ୍ସ୍ନାରାଣୀ ଜାନୀ, ଗୌରୀ ପଟ୍ଟନାୟକ, ଗୀତା ସାହୁ ପ୍ରମୂଖ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ ।
ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ସହ କର୍ଲାମୁଣ୍ଡା ପ୍ରତିନିଧି ବାଲ କୁମର ସାହୁଙ୍କ ରିପୋର୍ଟ odiabarta.in
ଆସନ୍ତୁ ଜାଣିବା ଗୁରୁ ପୂର୍ଣ୍ଣିମାର ମହତ୍ବ ସଂପର୍କରେ
ଉପସ୍ଥାପନା :
ସୁନୀଲ କୁମାର ଧଙ୍ଗଡାମାଝୀ
Editor odiabarta.in
ଆଜି ଆଷାଢ ଶୁକ୍ଲ ପୂର୍ଣ୍ଣମା ବା ପବିତ୍ର ଗୁରୁ ପୂର୍ଣ୍ଣିମା । ଗୁରୁଙ୍କୁ ପୂଜା କରିବାର ଏକ ସ୍ବତନ୍ତ୍ର ଅବସର । ଏମିତିରେ ପ୍ରତ୍ୟେକ ଦିବସ ଗୁରୁଙ୍କୁ ପୂଜା କରିବାର ଦିନ କିନ୍ତୁ ଏହି ଦିନର ସ୍ବତନ୍ତ୍ରତା ସମନ୍ଧରେ ମହର୍ଷି ବେଦବ୍ୟାସ ଭବିଷ୍ୟୋତ୍ତର ପୁରାଣରେ ଦର୍ଶାଇଛନ୍ତି ଯେ – ଆଷାଢ ଶୁକ୍ଲ ପୂର୍ଣ୍ଣିମା ହେଉଛି ମୋର ଜନ୍ମ ଦିବସ । ଏହି ଦିନ ସଂପୂର୍ଣ୍ଣ ଶ୍ରଦ୍ଧା ସହିତ ଗୁରୁଙ୍କୁ ସୁନ୍ଦର ବସ୍ତ୍ର, ଆଭୂଷଣ, ଗାଇ, ପୁଷ୍ପ, ରତ୍ନ, ସ୍ବର୍ଣ୍ଣ ମୁଦ୍ରା ଆଦି ସମର୍ପିତ କରି ପୂଜା କରିବା ଉଚିତ । ଏହାଦ୍ବାରା ଗୁରୁଙ୍କ ଠାରେ ମୋର ଦର୍ଶନ ହେବ ।
ଏଠାରେ ସୂଚନା ଯୋଗ୍ୟଯେ ଶାସ୍ତ୍ରରେ ରହିଥିବା ବର୍ଣ୍ଣନା ଅନୁସାରେ ବେଦବ୍ୟାସ ହେଉଛନ୍ତି ବିଷ୍ଣୁଙ୍କ ଅବତାର । ଭିନ୍ନ ଭିନ୍ନ ରୁଚି ରଖିଥିବା ମନୁଷ୍ୟ ଭଗବାନଙ୍କ ଉପାସନାରେ ନିମଗ୍ନ ରୁହନ୍ତୁ ଓ ଏହାଦ୍ବାରା ସମଗ୍ର ମାନବଜାତିର କଲ୍ୟାଣ ହେଉ, ଏହି ଉଦ୍ଦେଶ୍ୟ ନେଇ ବ୍ୟାସଦେବ ଅଷ୍ଟାଦଶ ପୁରାଣ ରଚନା କରିଥିଲେ । ଜୈମିନ, ପୈଲ, ବୈଶମ୍ପାୟନ, ସୁମନ୍ତୁମୁନି, ରୋମହର୍ଷକ ଆଦି ମହର୍ଷି ବେଦବ୍ୟାସଙ୍କ ଶିଷ୍ୟ ଥିଲେ । ଗୁରୁଙ୍କ ଆଜ୍ଞା ପ୍ରାପ୍ତ କରି ଏମାନେ ଉପନିଷଦ ଗୁଡିକର ବିଭାଗ କରିଥିଲେ । ଭାରତ ସାରା ଗୁରୁ ପୂର୍ଣିମା ଅବସରରେ ମହର୍ଷି ବେଦବ୍ୟାସଙ୍କୁ ପୂଜା କରା ଯାଇଥାଏ ।
ଏବେ ଆସନ୍ତୁ ସୁଣିବା Guru Purnima Special Song