ଲୋକାର୍ପିତ ହେଲା ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଗଳ୍ପ ସଙ୍କଳନ ‘ଅମୃତର ସନ୍ଧାନ’ : ଜୀବନର ବାସ୍ତବ ଜଳଛବି ଆଙ୍କିଛନ୍ତି ଗାଳ୍ପିକା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କବିତୀର୍ଥ ଶାନ୍ତିକାନନ ପରିସରରେ ଫକୀରମୋହନ ସାହିତ୍ୟ ପରିଷଦ ସଭାଗୃହରେ ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଦ୍ୱିତୀୟ ଗଳ୍ପ ପୁସ୍ତକ ‘ଅମୃତର ସନ୍ଧାନ’ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅତିଥି ଭାବେ ଯୋଗ ଦେଇ ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ପୁଷ୍ପଲତା ଦେବୀ ଓ ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ଼. ସୁବାସ ଚନ୍ଦ୍ର ପାତ୍ର ମିଳିତ ଭାବରେ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଏହି ସଭାକୁ ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ଼କ୍ଟର ସୁବାସ ଚନ୍ଦ୍ର ପାତ୍ର ପୌରୋହିତ୍ୟରେ କରି କହିଥିଲେ, ଆଜି ମୁଁ କବି ବ୍ରଜନାଥ ରଥଙ୍କ ଉପସ୍ଥିତିକୁ ଏଠାରେ ଅନୁଭବ କରୁଛି। ମୋତେ ଲାଗୁଛି ସେ ଏଇଠି ରହି ତାଙ୍କ ପୁତ୍ରବଧୂ ଅର୍ଚ୍ଚନାଙ୍କୁ ଆଶୀର୍ବାଦ କରୁଛନ୍ତି। ଅନୁଷ୍ଠାନର ସଂପାଦକ ଡ଼କ୍ଟର ରତ୍ନାକର ସିଂହ ପ୍ରାକ୍ ସୂଚନା ଦେବା ଛଳରେ ଅର୍ଚ୍ଚନା ରଥଙ୍କ ଗଳ୍ପ ସଙ୍କଳନ ଏକ ସାର୍ଥକ ସୃଷ୍ଟି ବୋଲି କହିଥିଲେ। ଲେଖକୀୟ ଅଭିଭାଷଣ ପ୍ରଦାନ କରି ଲେଖିକା ଅର୍ଚ୍ଚନା ରଥ କହିଲେ ଯେ ମୋ ଜୀବନରେ ମୁଁ ଯେଉଁ ଅନୁଭବ କରିଛି- ଯେଉଁ କଥା ବେଦନା ମୋତେ ବ୍ୟଥିତ କରିଛି ତାହାକୁ ମୁଁ ଗଳ୍ପ ମାଧ୍ୟମରେ ପ୍ରକାଶ କରିବାର ପ୍ରୟାସ କରିଛି। କବି କାଳିକିଙ୍କର ଦାସ ଓ ଡ଼କ୍ଟର ଶିରୀଶ ଚନ୍ଦ୍ର ଜେନା ପୁସ୍ତକଟିକୁ ସମୀକ୍ଷା କରିଥିଲେ। ଶ୍ରୀ ଦାସ କହିଲେ ଯେ ଗାଳ୍ପିକା ଅର୍ଚ୍ଚନା ରଥଙ୍କର ପ୍ରତ୍ୟେକ ଗଳ୍ପ ଯେମିତି ଜୀବନର ବାସ୍ତବ ଜଳଛବି। ଅମୃତର ସନ୍ଧାନ, ସାବିତ୍ରୀ, ଯାହାକୁ ରଖିବେ ଅନନ୍ତ, ଅସମାହିତ ପ୍ରଶ୍ନ ଆଦି ଗଳ୍ପ ପାଠକକଙ୍କ ଦରଦୀ ଦୃଦୟକୁ ବିଗଳିତ କରେ। ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଆଲୋଚନା କରିବାକୁ ଯାଇ କହିଲେ ଯେ ଅର୍ଚ୍ଚନାଙ୍କର ପ୍ରତ୍ୟେକ ଗଳ୍ପ ମନଛୁଆଁ ଓ ରସଗ୍ରାହୀ ପାଠକଙ୍କୁ କେବେହେଲେ ନିରାଶ କରିବ ନାହିଁ। ‘ଅମୃତର ସନ୍ଧାନ’ ନାମକରଣ ଖୁବ୍ ବାସ୍ତବ ଓ ପ୍ରେରଣାପ୍ରଦ ହୋଇଛି ବୋଲି ଶ୍ରୀ ଜେନା ମତପ୍ରକାଶ କରିଥିଲେ।

ଏଥିରେ ବ୍ୟଙ୍ଗକବି ବ୍ରହ୍ମନାଥ ରଥ ମଂଚ ଆହ୍ୱାନ କରିଥିବା ବେଳେ ବହ୍ନିମାନ ରଥ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ବ୍ୟୋମନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସହରର ବହୁ ବୁଦ୍ଧିଜୀବୀ ଲେଖକ ଲେଖିକା ଓ ସାମ୍ବାଦିକ ଯୋଗ ଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.