ସାମୟିକ ସୁଖ ଅପ୍ରମିତ ଦୁଃଖ

ସାରା ବିଶ୍ୱରେ ଏଚ ଆଇ ଭି/ଏଡସ୍ ପାଇଁ ଅନେକ ସଚେତନ ସୃଷ୍ଟି କରିବା ପରେ ମଧ୍ୟ ଆଖିଦୃଶିଆ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ। ୨୦୨୩ ମସିହାରେ ୩୯.୯ ମିଲିୟନ ଏଚଆଇଭି ସହ ବଞ୍ଚୁଥିବା ବେଳେ ୨୦୨୪ ଶେଷରେ ୪୨.୩ ମିଲିୟନରେ ପହଞ୍ଚିବ। ୨୦୨୩ ମସିହାରେ ୬,୩୦,୦୦୦ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ୧.୩ମିଲିୟନ ଏଡସ୍ ଚିହ୍ନଟ ହୋଇଛନ୍ତି। ଅନଏଡସ୍ କରିବା ପାଇଁ ଅଧିକାଂଶ ରାଷ୍ଟ୍ର ୨୦୩୦ ମସିହାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୪ର ଏଡ଼ସ୍ ବାର୍ତ୍ତା ହେଲା “ଅଧିକାରର ସଠିକ ବାର୍ତ୍ତା ଅନୁସରଣ କରିବା”।  ଏଡସ୍ ଆକ୍ରାନ୍ତଙ୍କର ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଅଧିକାର ସାବ୍ୟସ୍ତ କରି ପାରିବ। ଜାଗ୍ରତ ଜନସାଧାରଣ   ମଧ୍ୟରେ ଏଡ଼ସ ନିୟନ୍ତ୍ରଣ ପାଇଁ ଚାରିଗୋଟି ପଦକ୍ଷେପ ନେବାକୁ ଦାବି ହେଉଛି। ସେଗୁଡିକ ହେଲା- ଶିକ୍ଷା, ନିରାକରଣ,ପରୀକ୍ଷଣ ଓ ଚିକିତ୍ସା।
       
ଏଡ଼ସ୍ ଆକ୍ରାନ୍ତ ମଧ୍ୟରେ ଅଧିକାଂଶ ଅଛନ୍ତି ଯୁବପିଢ଼ି। ଯୌବନ ଯୁବପିଢ଼ିର ଇପସିତ ଇଚ୍ଛା।ଯୌବନ ଜୀବନର ଗତିକୁ ଗତିଷ୍ମାନ କରିଥାଏ।ଯୌବନ ସଫଳତା ଆଉ ବିଫଳତାର ମାପକାଠି। ଯୁବପିଢ଼ି ଯୌବନକୁ ଉପଭୋଗ ଓ ଉପଯୋଗ କରି ତୃପ୍ତ ହେଇଥାଏ। ଯୁବଶକ୍ତିର ବିନିଯୋଗ ବ୍ୟକ୍ତି ଓ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥାଏ। ପ୍ରେରଣା ଆଉ ପ୍ରୋତ୍ସାହନ ଯୁବଶକ୍ତିକୁ ବିକାଶମୁଖୀ କରାଇଥାଏ। ସୌର୍ଯ୍ୟ,ବୀର୍ଜ୍ୟରେ ଭରପୁର ଯୁବଶକ୍ତି ନିଜ ଉଦ୍ଦେଶ୍ୟ, ଲକ୍ଷ୍ୟ ସାଧିତ ହୋଇନପାରିଲେ ଉଦ୍ଭଟ ହେଇପାରେ। ଦୀଶା ଓ ଦ୍ରଷ୍ଟା ବିହୀନ ଯୁବପିଢ଼ି କକ୍ଷ ବିଚ୍ୟୁତ ହୋଇଥାଏ। ଜୀବନରେ ଆଳସ୍ୟ ଓ କ୍ଳେଶକୁ ଆଦରି ନେଇ ପରଭୋଜି ପରି ସମୟ ଅତିବାହିତ କରେ। ମାୟା ଓ ମୋହଗ୍ରସ୍ତ ହୋଇ କ୍ଷଣିକସୁଖ ସନ୍ଧାନରେ ଅପାର ଆନନ୍ଦ ପାଇଥାଏ। ବିଜ୍ଞଜନ କଥା,ପୁସ୍ତକ ଜ୍ଞାନ ତୁଚ୍ଛ ମଣିଥାଏ। ଶେଷରେ ତାର ପରିମାଣ ମଧ୍ୟ ଭୋଗକରିବାକୁ ପଡିଥାଏ। ଭଅଁର ଯେମିତି କମଳ ପାଖୁଡା ଭିତରେ ବନ୍ଦୀ ହୋଇଥାଏ ଓ ଶେଷରେ ମୃତ୍ୟୁବରଣ କରିଥାଏ।ଯୁବପିଢ଼ି ଠିକ୍ ସେପରି ଯୌନକ୍ଷୁଧାକୁ ଚରିତାର୍ଥ କରିବା ପାଇଁ ଅସୁରକ୍ଷିତ ଯୌନସଂପର୍କ ରଖୁଥିବାରୁ ଏଡ଼ସ୍ ଅର୍ଜନ କରେ।ଶେଷରେ ପରିଣାମ ଭୋଗ କରିଥାଏ।

ଏକ ସର୍ଭେକ୍ଷଣରୁ ଜଣାପଡିଛି ୧୫ରୁ ୧୯ବର୍ଷ ମଧ୍ୟରେ ଅର୍ଦ୍ଧେକ ଏଡ଼ସ୍ ପୀଡିତ ଦକ୍ଷିଣ ଆଫ୍ରିକା, ନାଇଜେରିଆ, କେନିଆ,ଭାରତ,ମୋଜାମ୍ବିକ ଓ ତାନ୍ଞ୍ଜାନିଆରେ ଦେଖିବାକୁ ମିଲିଥାଏ। ଏହିସବୁ ଦେଶମାନଙ୍କରେ ୨୦୧୬ରୁ ଯେଉଁ ହାରରେ ଏଡସ୍ ବୃଦ୍ଧି ପାଉଛି ୨୦୩୦ ମସିହାରେ ୭୪୦,୦୦୦ ହଜାରରେ ପହଞ୍ଚି ପାରେ। ଚିନ୍ତାର ବିଷୟ ଏହିଯେ ସାରା ପୃଥିବୀରେ ପ୍ରତି ସପ୍ତାହରେ ୭,୫୦୦ ଜଣ ଏଡସ୍ ପଜିଟିଭ କେବଳ ମହିଳା ମାନଙ୍କର ଚିହ୍ନଟ ହେଉଛି। ପୁରୁଷ ଅପେକ୍ଷା ମହିଳା ମାନଙ୍କ ଠାରେ ଦୁଇଗୁଣ ଦେଖିବାକୁ ମିଲିଥାଏ।୧୫ରୁ ୨୪ବୟସର ସର୍ଭେରୁ ଜଣାପଡିଛି ମହିଳା ମାନେ ୨୨% ପିଡୀତ ଥିବାବେଳେ ପୁରୁଷ ମାନଙ୍କ କ୍ଷେତ୍ରରେ ଏହା ୧୫% ଦେଖାଯାଇଛି।

୨୦୨୩ ରିପୋର୍ଟ ଅନୁସାରେ ମୋଟ ୩୯.୯ ମିଲିୟନ ମଧ୍ୟରୁ ୨୦୨୩ ମସିହାରେ ଏଡ଼ସ ଅର୍ଜନ କରିଛନ୍ତି ୧.୩ ମିଲିୟନ ଓ ୬,୩୦,୦୦୦ ମୃତ୍ୟୁ ବରଣ କରିଛନ୍ତି।  ୧୫ବର୍ଷରୁ ଊର୍ଦ୍ଧ୍ବଙ୍କ ସଂଖ୍ୟା ହେଉଛି ୩୮.୬ ମିଲିୟନ ଓ ୨୦୨୩ରେ ଅର୍ଜନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୨ମିଲିୟନ ଓ ୫,୬୦,୦୦୦ ମୃତ୍ୟୁ ବରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ୨୦.୫ ମିଲିୟନ ଓ ପୁରୁଷ ୧୮.୧ ମିଲିୟନ। ୧୫ବର୍ଷରୁ କମଙ୍କ ସଂଖ୍ୟା ୧.୪ ମିଲିୟନ। ୨୦୨୩ ମସିହାରେ ଭାରତରେ ମୋଟ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୨.୫ ମିଲିୟନ। ଏଥି ମଧ୍ୟରୁ ୮୭.୪% ଆକ୍ରାନ୍ତ ଅସୁରକ୍ଷିତ ଯୌନ ସଂପର୍କରୁ ଅର୍ଜନ କରିଛନ୍ତି। ଯେଉଁମାନଙ୍କର ବୟସ ୧୫ ରୁ ୪୯ ମଧ୍ୟରେ ରହିଛି।  ଭାରତର ବିଭିନ୍ନ ରାଜ୍ୟରେ ୨୦୨୩ ମସିହାରେ ଏଚଆଇଭି ସ୍ଥିତି ହେଲା ମିଜୋରାମରେ ୨.୩୨% ସହ ସର୍ବାଧିକ, ନାଗାଲାଣ୍ଡରେ ୧.୪୫%, ମଣିପୁରରେ ୧.୧୮%, ଆନ୍ଧ୍ର ପ୍ରଦେଶରେ ୦.୬୯%, ମେଘାଳୟରେ ୦.୫୪%, ତେଲେଙ୍ଗାନାରେ ୦.୪୯%, କର୍ଣ୍ଣାଟକରେ ୦.୪୭% ଏବଂ ଓଡ଼ିଶାରେ ୦.୧୪% ରହିଛି। ଏହି ତଥ୍ୟରୁ ଜଣାପଡିଛି ପ୍ରାୟ ଦେଶରେ ଯୁବବର୍ଗ ଭିତରେ ଏଡସ୍ ସ୍ଥିତି ବଢିବାରେ ଲାଗିଛି। ଭାରତ ଜନସଂଖ୍ୟାର ୨୫% ହେଉଛି ୧୫ରୁ ୨୯ ବୟସ୍କଙ୍କ ସଂଖ୍ୟା।ଏମାନଙ୍କ ଭିତରେ ପ୍ରାୟ ୩୧% ଏଚଆଭି ଦ୍ୱାରା ଆକ୍ରାନ୍ତ। ଭାରତର ମିଜୋରାମରେ  ଏଡ଼ସ୍ ଆକ୍ରାନ୍ତ  ମଧ୍ୟରୁ ୬୫% ହେଉଛନ୍ତି ଯୁବପିଢି। ଅସୁରକ୍ଷିତ ଯୌନ କ୍ରିୟା ମାଧ୍ୟମରେ ସହଜରେ ଏଡସ୍ ବ୍ୟାପିଥାଏ। ଯୌବନର ଉଚ୍ଛାଳ ତରଗଂରେ ତରଳି ଯାଇ ଯୁବବର୍ଗ ନିଜକୁ ଆୟତ କରିନପାରି କ୍ଷଣିକସୁଖକୁ ଜୀବନର ସବୁ କିଛି ମନେ କରିଥାନ୍ତି। ପ୍ରଥମ ଯୌନକ୍ରିୟା ପାଇଁ ଚଞ୍ଚଳ ଇଚ୍ଛା ପ୍ରକାଶ କରିବା ଏଡ଼ସ୍ କୁ ଆମନ୍ତ୍ରିତ କରିବାର ବାଟ ଫିଟିଥାଏ । ଯୌନକ୍ରିୟା ବିଷୟରେ ଜାଣିବା ପାଇଁ ଅହେତୁକ ଇଛା ଓ ସଂପର୍କ ସ୍ଥାପନକରିବା ଫଳରେ ଏଚଆଭି ବିସ୍ତାରିତ ହେଇଥାଏ। ବିନା କଣ୍ଡୋମ ବ୍ୟବହାର କରି ଯୌନକ୍ରିୟା କରିବା ଏଚଆଭି ବ୍ୟାପିବାର ଅନ୍ୟତମ କାରଣ।ଏକ ଚିକିତ୍ସା ସଂପର୍କିତ ସର୍ଭେରୁ ଜଣାପଡିଛି ଏଡସ୍ ଦ୍ୱାରା କବଳିତ ସର୍ବାଧିକ ଥିବା ଆଫ୍ରିକା ମହାଦେଶରେ ୧୫ରୁ ୨୪ବର୍ଷ ଭିତରେ ଥିବା ୬୦% ଯୁବବର୍ଗ ବିନା କଣ୍ଡୋମରେ ରତିକ୍ରିୟା କରିଥାନ୍ତି। ଏଣୁ ବିନା ଗର୍ଭନିରୋଧକ ବ୍ୟବହାର କରିବାର ପରିଣାମ ନିଶ୍ଚିତ ଭୟାନକ ପରିସ୍ଥିତି ସୃଷ୍ଟି କରିଥାଏ।ଯୁବ ଯୌନ ବ୍ୟବସାୟୀ ମାନଙ୍କ ଦ୍ୱାରା ମଧ୍ୟ ଖୁବ ସହଜରେ ଏଚଆଭି ବ୍ୟାପିଥାଏ। ଟଙ୍କା କମାଇବାର ମୋହରେ ପଡି ଅନେକ ଯୌନ ବ୍ୟବସାୟ କାର୍ଯ୍ୟରେ ଲିପ୍ତ। କିନ୍ତୁ ଏହାର ପରିମାଣ ଏତେ ଭୟଙ୍କର ପଛରେ ଜଣାପଡିଥାଏ। ପୃଥିବୀର ଅନେକ ଅଞ୍ଚଳରେ ଏହିପରି ଯୌନ ବ୍ୟବସାୟୀ ମାନେ ରହିଛନ୍ତି ଯେଉଁ ମାନଙ୍କର ବୟସ ପ୍ରାୟ ୧୮ବର୍ଷ। ତୃତୀୟଲିଗିଂ ମାନଙ୍କ ମାଧ୍ୟମରେ ମଧ୍ୟ ଏଚଆଭି ଶିଘ୍ର ବ୍ୟାପିଥାଏ। ପୃଥିବୀର ବଡ଼ ବଡ଼ ଦେଶରେ ୧୫ରୁ ୨୪ବର୍ଷ ଆୟୁ ମଧ୍ୟରେ ଥିବା ତୃତୀୟ ଲିଗିଂ ମାନେ ଗୃହ୍ୟ ମ୍ୟଥୁନ ଦ୍ୱାରା ଏଚଆଭିକୁ ବାଣ୍ଟିଥାନ୍ତି। ଏହିପରି  ଭାବରେ ବିଭିନ୍ନ ମାଧ୍ୟମରେ ଯୁବବର୍ଗ ଏଚଆଭି ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି।

ସମଗ୍ର ବିଶ୍ବରେ ଯୁବ ବର୍ଗଙ୍କ ସହିତ ଅନ୍ୟ ସମସ୍ତଙ୍କ ମଧ୍ୟରେ ଯୌନ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମସ୍ତ ପ୍ରକାର  ସଚେତନତା ଯୁବ ମାନସିକତାକୁ ପରିବର୍ତ୍ତନ ଆଣିବ। ଯୁବଗୋଷ୍ଠୀଙ୍କୁ ନିଯୁକ୍ତି, ଆତ୍ମସଂଜମ ଶିକ୍ଷାଦାନ ପଦ୍ଧତି ଅବଲମ୍ବନ କରିବାକୁ ହେବ। ଯୁବବର୍ଗକୁ ବ୍ୟାପକ ଭାବେ ଯୌନକ୍ରିୟା ସଂପର୍କରେ ଶିକ୍ଷା ଓ ସଚେତନତା ଆବଶ୍ୟକତା ରହିଛି। ବିଶେଷ ଭାବରେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ସହ ଅସୁରକ୍ଷିତ ଯୌନସଂପର୍କ ବିଷୟରେ ଆଲୋଚନା କରିବା ଦ୍ବାରା ଓ ସେମାନେ ସଜାଗହେଲେ ଏଡ଼ସ୍ ଆକ୍ରାନ୍ତଙ୍କ ସଂଖ୍ୟା କମିପାରେ। ନଚେତ୍ ସାମାୟିକ ଦେହ ସୁଖ ଅନେକ ଦୁଃଖର କାରଣ ହେଇପାରେ। ଏଡସ୍ ଆକ୍ରାନ୍ତଙ୍କ ମଧ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା, ଏଡ଼ସ ନିରାକରଣ ଯୋଜନା, ଏଡ଼ସ ପରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥାକୁ ଶତ ପ୍ରତିଶତ କରିବାକୁ ପଡ଼ିବ। ତେବେ ଯାଇ ୨୦୩୦ ମସିହାରେ ନୂଆ ଆକ୍ରାନ୍ତ ବାହାରିବେ ନାହଁ।

ମୋହନ ଚରଣ ବିଷି
ଗଡରାମାଳ, କୋକସରା, କଳାହାଣ୍ଡି
ମୋ-୯୭୭୭୪୬୮୮୪୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.