ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି ଗୃହ ନିର୍ମାଣ କାର୍ଯ୍ୟ: ସହାୟିକାଙ୍କ ଘରେ ଚାଲିଛି କେନ୍ଦ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ଚୋର୍ନିଦୁଆର ଅଙ୍ଗନବାଡ଼ି କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଦିର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇପାରୁ ନ ଥିବାରୁ ସହାୟିକା ଘର ବାରଣ୍ଡାରେ ଖୋଲା ଆକାଶ ତଳେ କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ଗଢ଼ା ଚାଲୁଛି। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ମୋଟ ୩୯ ଜଣ ପ୍ରାକ୍ ବିଦ୍ୟାଳୟର ଶିଶୁ ରହିଛନ୍ତି, ଏବଂ ୫ ଜଣ ପ୍ରସୂତୀ ମହିଳା, ୫ଜଣ ଗର୍ଭବତୀ ଓ ୬ ମାସରୁ ୩ ବର୍ଷର ଶିଶୁ ୩୩ ଜଣ ରହିଛନ୍ତି। ଏହି କେନ୍ଦ୍ର ଉପରେ କନକପୁର ଓ ଚୋର୍ନିଦୁଆର ଗ୍ରାମର ଲୋକେ ନିର୍ଭର କରନ୍ତି। ତେବେ ଦିର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ଓ ବିଭିନ୍ନ ଅନୁଦାନରୁ ପ୍ରାୟ ୨ ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇ ନପାରି ଅଧାପନ୍ତରିଆ ଭାବେ ପଡ଼ିରହିଛି। ଯାହା ଫଳରେ ଅନେକ ଦିନଧରି ଗଛମୂଳ, ଖୋଲା ଆକାଶ ତଲେ କେନ୍ଦ୍ର ଚାଲି ଆସୁଥିଲା। ତେଣୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏବେ ଅଙ୍ଗନବାଡ଼ି କର୍ମୀଙ୍କ ସହାୟିକା ଘରେ କେନ୍ଦ୍ର ଚାଲୁଛି। ସହାୟିକାଙ୍କ ଘରେ ମଧ୍ୟ ଉପଯୁକ୍ତ ସ୍ଥାନ ହେଉନାହିଁ। ଫଳରେ ଖାଦ୍ୟ ବଣ୍ଟନ ସମୟରେ ହେଉ କିମ୍ବା ଭିଏଚ୍ଏଣ୍ଡଡି ସମୟରେ ହେଉ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ନିମନ୍ତେ ଅନେକ ସମୟରେ ଅନୁଦାନ ଆସିବା ସତ୍ତ୍ୱେ ବର୍ଷ ବର୍ଷ ଧରି ସମ୍ପୂର୍ଣ ହୋଇପାରୁ ନାହିଁ। ଯାହାକୁ ନେଇ ବାରମ୍ବାର ଗ୍ରାମବାସୀମାନେ ସିଡିପିଓଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଏମିତି ଜିଲ୍ଲାପାଳ ଓ ବିଧାୟକଙ୍କୁ ଜଣାଇ ଆସିଥିଲେ ମଧ୍ୟ କାହାରି ଦୃଷ୍ଟି ପଡି ନଥିବା ସେମାନେ ଅଭିଯୋଗ କରିଛନ୍ତି। ଆଗକୁ ଯଦି ଶିଘ୍ର କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ନ ହୁଏ ତେବେ ଆନ୍ଦୋଳନ କରିବାକୁ ଚୋର୍ନିଦୁଆର ଗ୍ରାମର ବିଭୁତି ପୋଟା, ୱାର୍ଡ଼ ମେମ୍ବର ରାମେଶ୍ବର ପୋଟା, ଦୋଳ ଗୋବିନ୍ଦ ବାଗ, ଅଭିନବ ବାଗ, ବଂଶୀଧର ମାଝୀ, ପୁରୋହିତ ପୋଟା, ବାସନ୍ତୀ ମାଝୀ, ବିଷ୍ଣୁପ୍ରିୟା ପୋଟା, ହେମଲତା ମାଝୀ, କେତକୀ ମାଝୀ, ନିରାଶ ବାଗ, ମାସୁରୀ ମାଝୀ ସମେତ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଞ୍ଚଳ ମାଝୀ ଏବଂ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ମତାମତ ନେବାରୁ ପଞ୍ଚାୟତରୁ ବର୍ତ୍ତମାନ ପୁଣି ଏକ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇ ସାରିଛି, ଖୁବ୍ ଶିଘ୍ର ଅଙ୍ଗନବାଡ଼ି କେନ୍ଦ୍ର ସମ୍ପୂର୍ଣ କରାଯିବା ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.