ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହର ଗଣଧାରଣା ଓ ପ୍ରତିବାଦ ସଭା

କଳାହାଣ୍ଡି,୨୩/୭ : ରାଜ୍ୟର କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହ । ଆଜି (ମଙ୍ଗଳବାର) ଜିଲ୍ଲାର ୧୩ଟି ବ୍ଲକର ସାମ୍ବାଦିକ ମାନେ ଭବାନିପାଟଣାରେ ଏକତ୍ରିତ ହୋଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କଳାହାଣ୍ଡି ଜିଲ୍ଲା ସାମ୍ବାଦିକତାର ଭିଷ୍ମ ପିତାମହ ଉମାଶଙ୍କର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ, ଅସାମାଜିକ ବ୍ୟକ୍ତି ଓ ସଂଗଠନ ମାନଙ୍କ ଦ୍ବାରା କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଥିଲା ।

ନିକଟରେ କେନ୍ଦ୍ରାପଡା ଏସପି ନିତିଶେଖର ଜଣେ ସାମ୍ବାଦିକଙ୍କୁ ଦୂର୍ବ୍ୟବହାର ପ୍ରଦର୍ଶନ କରିବା, ସମ୍ବଳପୁର ଜିଲ୍ଲା ଧନୁପାଲି ଥାନା ଆଇଆଇସି କମଳ ଲୋଚନ ପଣ୍ଡା ଜଣେ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବାସହ ଏହି ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ସମାଜର ମଙ୍ଗଳ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କ ପାଇଁ କୌଣସି ପ୍ରକାର ସୂରକ୍ଷା ନଥିବାରୁ ସାମ୍ବାଦିକ ମାନଙ୍କ ପାଇଁ ସୂରକ୍ଷା ନୀତି ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହ । 

ପ୍ରଥମେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହର ଏକ ବିଶାଳ ଶୋଭାଯାତ୍ରା ଗାନ୍ଧୀ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଗଣଧାରଣା ଓ ପ୍ରତିବାଦ ସଭା ସହ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ମହମ୍ମଦ ଅଲ୍ଲୀ, ଶାନ୍ତୁନୁ କୁମାର ବେହେରା, ରଜନୀ ମିଶ୍ର, ବିଜୟ କୁମାର ଦ୍ବିବେଦୀ, ଲଲିତ କାନୁନଗୋ, କମ୍ବୁପାଣି ମିଶ୍ରଙ୍କ ସହ ୧୩ଟି ବ୍ଲକର ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

କଳାହାଣ୍ଡିରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.