ଜୁନାଗଡ଼,୨୫/୬ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଦେଦର ଗ୍ରାମପଞ୍ଚାୟତର କୁସୁମବରା ଗ୍ରାମରେ ଥିବା ବିଦ୍ୟାଳୟରେ କମ ଛାତ୍ରଛାତ୍ରୀ ଥିବା ଯୋଗୁଁ ଏହାକୁ ବନ୍ଦ କରାଯାଇ ୩ କିମି ଦୂରରେ ଥିବା ସୁପେଲ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦିଆଯାଇଛି । ୨୦୧୩ ମସିହାରେ ସ୍ଥାପିତ ହୋଇଥିବା କୁସୁମବରା ପ୍ରାଥମିକ ବିଦ୍ୟାଳୟରେ ଏବର୍ଷ ମୋଟ ୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ଏହି ବିଦ୍ୟାଳୟ ବନ୍ଦହେବା ସହ ପିଲାଙ୍କ ପାଠ ପଢାର ଡୋରି ବନ୍ଧା ହୋଇପଡିଛି କାରଣ ୩ କିମି ଦୂର ସୁପେଲକୁ ଛାତ୍ରଛାତ୍ରୀଙ୍କୁ ଛାଡିବାକୁ ଚାହୁଁନାହାନ୍ତି ଅବିଭାବକ । ଏହା ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ରାତି କଥା ଛାଡନ୍ତୁ ଦିନବେଳା ମଧ୍ୟ ଏହି ରାସ୍ତାରେ ଜାତାୟତ କରିବାକୁ ଲୋକେ ଡରିଥାନ୍ତି ଏପରି ପରିସ୍ଥିତିରେ ପ୍ରଥମ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ କିପରି ଛାଡିହେବ ବୋଲି ପ୍ରଶ୍ନ କରିଛନ୍ତି ଅବିଭାବକ । ପରିସ୍ଥିତି ଏପରି ହୋଇଛିଯେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାର ଡୋରି ସବୁଦିନପାଇଁ ବନ୍ଦ ହେବାକୁ ଯାଉଛି । ତେଣୁ ଏହାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ବିଚାର କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।