ବୃଦ୍ଧ-ବୃଦ୍ଧାଙ୍କୁ ଦଳି ଦେଲା ଜଙ୍ଗଲୀ ହାତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶନିବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ତଥା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ କାଦୋମାଳିରେ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଚାଷଜମିରେ ଘର ତିଆରି କରି ରହିଥିବା ଦୋରାସାର୍ଲି ଗାଁର ସ୍ୱାମୀ ସ୍ତ୍ରୀ ମୁଗାନା ମାଝୀ (୬୩) ଓ ଗାଦ ମାଝୀ (୬୦)ଙ୍କୁ ପାଦରେ ଦଳି ସେମାନଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫାପାଡି ଦେଇଛି ଜଙ୍ଗଲୀ ହାତୀ।

ସୂଚନାନୁସାରେ, ଦୋରାସାର୍ଲି ଗାଁର ମୁଗାନା ଓ ଗାଦ ନିଜର ଚାଷ କରିଥିବା ଫସଲର ସୁରକ୍ଷା ପାଇଁ କାଦୋମାଳିରେ ଏକ ଘର ତିଆରି କରି ରହିଥିଲେ। ତାଙ୍କ ସହିତ ତାଙ୍କର ପୁଅ ଓ ଅନ୍ୟ ଦୁଇ ସମ୍ପର୍କୀୟ ବି ଥିଲେ। ଶନିବାର ବିଳମ୍ବିତ ରାତିରେ ସେମାନେ ଶୋଇଥିବାବେଳେ ଏକ ଦନ୍ତାହାତୀ ସେମାନଙ୍କ ଘର ଭଙ୍ଗାରୁଜା କରିବା ସହିତ ଶୋଇଥିବା ମୁଗାନା ଓ ଗାଦଙ୍କୁ ନିଜ ପାଦରେ ଦଳି ଦେଇଥିଲା।

କେବଳ ସେତିକି ନୁହେଁ ହିଂସ୍ର ହୋଇ ପଡ଼ିଥିବା ହାତୀଟି ଉଭୟଙ୍କ ସହିତ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଏଣେତେଣେ ଫିଙ୍ଗି ଫୋପାଡ଼ି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ତେବେ ସେଠାରେ ଥିବା ମୃତ ମୁଗାନାଙ୍କ ପୁଅ ସମେତ ଅନ୍ୟ ଦୁଇଜଣ ଜୀବନ ବିକଳରେ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ସେମାନଙ୍କଠାରୁ ଖବର ପାଇ ଆଜି ସକାଳେ ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର ଓ ବିଜେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ତେବେ ବନବିଭାଗର ଅବହେଳା ଯୋଗୁଁ ହାତୀ ମଣିଷ ମୁହାଁମୁହିଁ ହେଉଥିବାବେଳେ ହାତୀ ଆକ୍ରମଣର ଏହି ବୀଭତ୍ସ ଦୃଶ୍ୟକୁ ଦେଖି ଲୋକେ ଉତ୍ୟକ୍ତ ହୋଇ ପଡ଼ିଥିଲେ।

କିଛି ସମୟ ଧରି ବନବିଭାଗ ଓ ପରିବାର ବର୍ଗ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ବେଶ କିଛି ସମୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବାବେଳେ ପରିବାରବର୍ଗଙ୍କୁ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ସ୍ଥିତି ଶାନ୍ତ ପଡିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.