ବେଙ୍ଗଭଟା ମଶାଣି ଗୃହର ଫ୍ଲସ୍ କାଢିବା ସମୟରେ ଛାତ ଭୁଷୁଡି ଶ୍ରମିକ ମୃତ୍ୟୁ ପ୍ରସଙ୍ଗ

୭୦ ହଜାର ଟଙ୍କାରେ ଘଟଣାକୁ ଚାପିଦେଲେ

ଲାଞ୍ଜିଗଡ ବ୍ଲକର ଉନ୍ନୟନ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନବାଚୀ

ଲାଞ୍ଜିଗଡ,୨୬/୭ : ଏକରେତ ନିମ୍ନ ମାନର କାର୍ଯ୍ୟ କରୁଛନ୍ତି, ନିର୍ମାଣ କାର୍ଯ୍ୟ ନସରୁଣୁ ତାହା ଭୁଶୁଡି ପଡୁଛି, ସେଠାରେ ନିୟୋଜିତ ଶ୍ରମିକର ମୃତ୍ୟୁ ହେବାପରେ ବି ମାନବିକତା ନାମକ ଜିନିଷ ନାହିଁ । ପୋଲିସ କିମ୍ବା ପ୍ରଶାସନକୁ ନଜଣାଇ ସବୁ ରଫାଦଫା କରାଯାଉଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ କାର୍ଯ୍ୟ କ୍ଷେତ୍ରରେ ମୃତ୍ୟୁବରଣ କରିଥିବା ଶ୍ରମିକର ପରିବାରକୁ ମାତ୍ର ୭୦ ହଜାର ଟଙ୍କା ଦେବାର ପ୍ରତିଶୃତି ଦେଇ ଘଟଣାକୁ ଚପାଇଦେଇଛନ୍ତି । ଏପରି ଏକ ଅମାନବିକ କାର୍ଯ୍ୟର ଗୁମର ଖୋଳୁଛି ଲାଞ୍ଜିଗଡ ବ୍ଲକରୁ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମାଲିଜୁବାଙ୍ଗ ପଞ୍ଚାୟତ ଅଧିନସ୍ଥ ବେଙ୍ଗଭଟା ଗାଁର ମଶାଣି ଗୃହକୁ ନେଇ ଉଠିଛି ବିବାଦ । ନିମ୍ନ ମାନର କାମ ଯୋଗୁଁ ଫ୍ଲସ୍ କାଢିବା ସମୟରେ ହିଁ ଛାତ ଭୂଷୁଡି ପଡି ତଳେ ଚାପି ହୋଇ ମୃତ୍ୟୁ ବରଣ କଲେ ଜଣେ ଶ୍ରମିକ । ଶ୍ରମିକ ମୃତ୍ୟୁ ପରେ ପୋଲିସକୁ ନଜଣାଇ ମାତ୍ର ୭୦ ହଜାର ଟଙ୍କା ବିନିମୟରେ ଚାପି ଦିଆଯିବା, ଭାଙ୍ଗିଯାଇଥିବା ମଶାଣି ଗୃହର ଚିହ୍ନବର୍ଣ୍ଣ ଲିଭାଇବାକୁ ଯାଇ ଜେସିପି ସାହାଯ୍ୟରେ ନାଳରେ ଫୋପାଡିବା ପରି ଜଘନ୍ୟ କାଣ୍ଡର ଗୁମର ଧିରେ ଧିରେ ଫିଟିବାକୁ ଲାଗିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଏହି ବ୍ଲକ ଅନ୍ତର୍ଗତ ମାଲିଜୁବାଙ୍ଗ ପଞ୍ଚାୟତ ଅଧିନସ୍ଥ ବେଙ୍ଗଭଟା ଗ୍ରାମର ନାଳ କଡକୁ ଲାଗି ୨୦୧୯ ମସିହା ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ଏକ ମଶାଣି ଗୃହ । ଏହି କାମ ପଞ୍ଚାୟତ ଅନୁଦାନ ପାଣ୍ଠୀ ସି.ଏଫ୍.ସି/୨୦୧୮ – ୨୦୧୯ ଅନୁସାରେ ମଞ୍ଜୁର ହୋଇଥିଲା । କାର୍ଯ୍ୟ ଅଟକଳ ଥିଲା ୨ ଲକ୍ଷ । ମାଲିଜୁବାଙ୍ଗ ଗ୍ରାମ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ (ଜେଇ) ପିତାମ୍ବର ହେମ୍ରମ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ଅଲେଖ ସା ଙ୍କ ଦାଇତ୍ବରେ ଏହି କାର୍ଯ୍ୟ ସୂଚାରୁ ରୂପେ ସଂପାଦିତ ହେବାକଥା କିନ୍ତୁ ଗ୍ରାମବାସୀଙ୍କ କହିବାକଥା ହେଲା ଏହି ଦୁଇ ଅଧିକାରୀ କେବେବି କାର୍ଯ୍ୟ ତଦାରଖ କରିବାକୁ ଆସିନଥିଲେ । ଏହି ଜେଇ ଓ ପିଇଓ ଉଭୟ ତ୍ରିଲୋଚନପୁର ପଞ୍ଚାୟତ ଦାଇତ୍ବରେ ମଧ୍ୟ ଅଛନ୍ତି ।

ଉକ୍ତ ମଶାଣି ଗୃହକୁ ୨ ଜଣ ଠିକାଦାର କରୁଥିଲେ, ସେମାନେ ହେଲେ ମାଧବ ନରିଆ ଓ ଡମ୍ବରୁ ନାଏକ । ମାଧବ ସେହି ବେଙ୍ଗଭଟା ଗ୍ରାମର ହୋଇଥିବା ବେଳେ ଡମ୍ବରୁ ହେଲେ ବକାକୁଣ୍ଡୁରୁ ଗାଁର ବାସିନ୍ଦା । ଜେଇ ଓ ପିଇଓଙ୍କ ଅନୁପସ୍ଥିତିର ଫାଇଦାନେଇ ଏହି ଦୁଇ କଥାକଥିତ ଠିକାଦାର ଜେନ ତେଣ ଭାବେ ଅତି ନିମ୍ନମାନର କାର୍ଯ୍ୟ କରିଥିଲେ । ଗତ ଅପ୍ରେଲ ୧ ତାରିଖରେ ଏହି ମଶାଣି ଗୃହର ଛାତ ପଡିଥିଲା ଓ ଅପ୍ରେଲ ୨୪ ତାରିଖ ଦିନ ଛାତରୁ ଫ୍ଲସ କଢା ଯାଉଥିଲା । ଫ୍ଲସ୍ କାଢିବା କାମରେ ବିଜେପୁର ଗାଁର ସାନବାବୁ ନାଏକ ଓ ବେଙ୍ଗଭଟା ଗାଁର ସନ ନରିଆ ନାମକ ଦୁଇ ଜଣ ଶ୍ରମିକ ନିୟୋଜିତ ହୋଇଥିବାବେଳେ ଦୁଇ ଠିକାଦାର ସେମାନଙ୍କୁ ସହଯୋଗ କରୁଥିଲେ । ଫ୍ଲସ କାଢିବା ସମୟରେ ପୁରାଛାତ ଭୂଷୁଡି ପଡିଥିଲା ଓ ଛାତତଳେ ଚାପିହୋଇ ଶ୍ରମିକ ସାନବାବୁ ନାଏକ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲା । ଶ୍ରମିକ ମୃତ୍ୟୁ ପରେ ତିନିଜଣ ଏହି ଘଟଣାକୁ ଚପେଇବାକୁ ଉଦ୍ୟମ କରିଥିଲେ । କାରଣ ସନ ନରିଆର ପୁଅ ମାଧବ ଠିକାଦାର ଥିଲା ତେଣୁ ସନ ବାଦ୍ଧ୍ୟ ହୋଇ ଚୁପ୍ ପଡିଲା । ଏହି ଘଟଣାର ଚିହ୍ନବର୍ଣ୍ଣ ମିଟାଇବା ପାଇଁ ଦୁଇଜଣ ଠିକାଦାର, ଜେଇ, ପିଇଓ ସମସ୍ତେ ମିସି ଉଦ୍ୟମ କରିଥିବା ଅଭିଯୋଗ ହେଉଛି ଓ ଏମାନେ ଭାଙ୍ଗି ଯାଇଥିବା ନିର୍ମାଣଧିନ ମଶାଣି ଗୃହ ସମେତ ନାମ ଫଳକକୁ ଜେସିପି ସାହାଯ୍ୟରେ ନାଳରେ ଫିଙ୍ଗି ଦେଇଛନ୍ତି ।

ମୃତ ଶ୍ରମିକଙ୍କ ପରିବାରକୁ ବହୁତ ଚାପ ପ୍ରୟୋଗ କରାଯାଇଥିଲା ଓ ଗାଁରେ ବୈଠକ ଡାକି କ୍ଷତି ପୂରଣ ବାବଦକୁ ଦୁଇ ଠିକାଦାର ୩୫/୩୫ ହଜାର ଟଙ୍କା ଦେବାର ପ୍ରତିଶୃତି ଦେଇଥିଲେ । ତେବେ ଏହି ଘଟଣା ବିଷୟରେ ପୋଲିସକୁ ଜଣାଇନଥିଲେ । ମୃତ ଶ୍ରମିକ ସାନବାବୁ ନାଏକର ଦଶାହ କାର୍ଯ୍ୟରେ ୩୫ ହଜାର ଟଙ୍କା ଦେଇଥିବାବେଳେ ବହୁ କଷ୍ଟରେ ବର୍ତ୍ତମାନ କିଛି ପଇସା ଦେଇଥିବା ଜଣାପଡିଛି । ଏହି ଘଟଣା ଧିରେ ଧିରେ ଲୋକ ଲୋଚନକୁ ଆସୁଥିବାବେଳେ ଏହାକୁ ସବୁ ମହଲରୁ ନିନ୍ଦା କରାଯାଇଛି । ଜଣେ ଶ୍ରମିକର ଜୀବନର ମୂଲ୍ୟ କ’ଣ ୭୦ ହଜାର କି ବୋଲି ପ୍ରଶ୍ନ ଉଠିଛି । ଏହାସହ ଲାଞ୍ଜିଗଡ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ସମୂହର ମାନକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଶାଣି ଗୃହ ନିର୍ମାଣ ସମୟରେ ହିଁ ଭୂଷୁଡି ପଡିଥିବାରୁ ଆଉଥରେ ଖୁବଶିଘ୍ର ମଶାଣି ଘର ନିର୍ମାଣ ହେବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ରମ ଓ ମାଲିଜୁବାଙ୍ଗ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲେଖ ସା । ଲାଞ୍ଜିଗଡ ବିଡିଓ ମୁନିଙ୍ଗ ହୋନାଙ୍ଗାଙ୍କୁ ପଚାରିବାରୁ ଏ ବିଷୟରେ ମୋତେ କେହି କହିନାହାନ୍ତି, ପଥାପି ଏହାର ତଦନ୍ତ କରାଇବେ ବୋଲି ପ୍ରକାଶ କରିଛନ୍ତି । 

ଲାଞ୍ଜିଗଡ ବ୍ଲକର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର ହେଉଛି ତଥା କାର୍ଯ୍ୟ କ୍ଷେତ୍ରକୁ ତଦାରଖ ପାଇଁ ଅଧିକାରୀମାନେ ନଜାଇ ଠିକାଦାର ସାଙ୍ଗେ ମଧୁଚନ୍ଦ୍ରିକା କରି ମୋଟା ଅର୍ଥ ପ୍ରାପ୍ତ କରୁଥିବାର ଅଭିଯୋଗ ହୋଇଆସୁଥିବା ସମୟରେ ବେଙ୍ଗଭଟା ମଶାଣି ଗୃହ ଏହି ଅଭିଯୋଗକୁ ଶତ ପ୍ରତିଶତ ଠିକ୍ ବୋଲି ପ୍ରମାଣିତ କରୁଛି । ଏହି ଘଟଣା ଭାତ ହାଣ୍ଡିରୁ ଗୋଟିଏ ତେଣୁ ଲାଞ୍ଜିଗଡ ବ୍ଲକର ଉପାନ୍ତ ଇଲାକାର କାର୍ଯ୍ୟସବୁର ଉଚ୍ଚ ସ୍ଥରୀୟ ତଦନ୍ତ ହେବା ଜରୁରୀ ବୋଲି ବୁଦ୍ଧିଜିବୀ ମହଳରୁ ମତ ପ୍ରକାଶ ପାଇଛି ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Subscribe us on Youtube👇
http://tiny.cc/odiabarta
Join our whatsapp group👇
http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.