ଉଦଯାପିତ ହେଲା ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୧୫ ଦିନିଆ ପ୍ରଶିକ୍ଷଣ ଶିବିର

ଭାଗ ନେଲେ ବିଭିନ୍ନ ମହାବିଦ୍ୟାଳୟର ୫୦ ସ୍ନାତକ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟ ଅଧିନସ୍ଥ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଏକ ସହଯୋଗାତ୍ମକ ଆଭିମୁଖ୍ଯ ନେଇ ବିଶ୍ୱବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ଏବଂ ବାୟୋ-ଉତ୍ସ ପରିଚାଳନା କେନ୍ଦ୍ର ଦ୍ଵାରା ଆୟୋଜିତ ୧୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଛି।

ଏହି କାର୍ଯ୍ୟକ୍ରମ ୧୭ ଫେବୃଆରୀରୁ ଆରମ୍ଭ ହୋଇ ୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା। ଏହାର ଉଦଯାପନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ପ୍ରଶିକ୍ଷଣ ଶିବିରର ସଫଳ ସଂଯୋଜନା ନେଇ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଏହି ଅନୁଶାସନ ମିଶ୍ରିତ ବହୁମୁଖୀ ଶିକ୍ଷା ପ୍ରଣାଳୀ ଯୁକ୍ତ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଉପକୃତ ହେବା ନେଇ ଆଶାବ୍ୟକ୍ତ କରିଥିଲେ। ଏହି ପ୍ରକାରର ଶିବିର ଆୟୋଜନ ଆଗାମୀ ଦିନରେ ମଧ୍ଯ ବିଶ୍ୱବିଦ୍ୟାଳୟ ଦ୍ବାରା କରାଯିବା ନେଇ ଉଲ୍ଲେଖ କରିଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ଭବିଷ୍ୟତରେ ଏକ ଶ୍ରେଷ୍ଠ ଗବେଷକ ଭାବେ ପରିଚୟ ଲାଭ କରିବାକୁ ଉତ୍ସାହିତ କରିଥିଲେ। ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ଯ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ, ଉପକରଣ ପରିଚୟ, ବୈଜ୍ଞାନିକ ଆଲୋଚନା ଏବଂ ଜ୍ଞାନ ବିନିମୟ ରହିଥିଲା ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବିଜ୍ଞାନ ବିଭାଗର ସ୍ନାତକ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ତଥା ଉଦଯାପନୀ ବୈଠକରେ ନିଜର ଅନୁଭୂତି ବାଣ୍ଟିଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରଶିକ୍ଷଣ ଶିବିରରେ ସଂପାଦିତ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଉଦଯାପନୀ ବୈଠକକୁ ଡ଼କ୍ଟର ପୁନମ କୁମାରୀ ସଂଚାଳନା କରିଥିଲେ ଏବଂ ଡ଼କ୍ଟର ରାଜୀବ ବିଶ୍ବାଳ ଧନ୍ୟବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.