ଉପମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ : ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର କଲେ ସମୀକ୍ଷା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି I ଏହି ଗସ୍ତ ସମୟରେ ସ୍ଥାନୀୟ ପଦ୍ମାବତୀ ପାର୍କର ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ଅଧିନସ୍ଥ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I

ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ସୁଭଦ୍ରା ଯୋଜନା, ମମତା ମିଶନ, ପୋଷଣ, ଅଙ୍ଗନବାଡି ଆଦି ବିଷୟର କାର୍ଯ୍ୟକାରିତା ଉପରେ ପ୍ରାରମ୍ଭରେ ଆଲୋଚନା କରାଯାଇଥିଲା I ସେହିଭଳି ମିଶନ ଶକ୍ତି ଅଧିନସ୍ଥ ଓଡିଶା ଜୀବିକା ମିଶନ, ଲକ୍ଷପତି ଦିଦି, ମିଶନ ଶକ୍ତି ରିଟେଲ ମାର୍ଟ, ବ୍ଲକଵାରୀ ମିଶନ ଶକ୍ତି ଭବନ ଭଳି ବିଭିନ୍ନ ଦିଗଗୁଡିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା I ପରିଶେଷରେ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ସୁନ୍ଦରିକରଣ ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା I ବୈଠକ ପରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ ସମାପ୍ତି ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ I

ଉକ୍ତ ବୈଠକରେ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ସଦର ବିଧାୟକ ଶ୍ରୀ ମାନସ ଦତ୍ତ ଓ ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.