ସରକାରୀ ଜମି ଜବରଦଖଲ ବିରୁଦ୍ଧରେ ପୌର ଅଧିକାରୀଙ୍କୁ ଘେରିଲେ ବିଜେପି କର୍ମୀ

ପ୍ରଭାବଶାଳୀ ବିଜେଡି ରାଜନେତାଙ୍କ ସମ୍ପୃକ୍ତି ଅଭିଯୋଗ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ଵାଳଙ୍କ ନେତୃତ୍ୱରେ ନଗର ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ପୌର ନିର୍ବାହୀ ଅଧିକାରୀଙ୍କୁ ଭେଟି ପୌର ପରିଷଦ ଅଞ୍ଚଳରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଦୃଢ଼ଦାବୀ କରିଛନ୍ତି। ବ୍ଲକ୍ ଛକରୁ ପଟାଭାଡ଼ି ରାସ୍ତାର ବାମ ପାର୍ଶ୍ୱରେ ଜଣେ ରାଜନେତା ଜମି ଜବରଦଖଲ କରି ଗ୍ୟାରେଜ ନିର୍ମାଣ କରିଛନ୍ତି। ଉକ୍ତ ସ୍ଥାନକୁ ଶୀଘ୍ର ଡିମାରର୍କେଶନ କରି ଉଚ୍ଛେଦ କରାଯିବା ସହିତ ପୌର ଅଧିକାରୀ ତାଙ୍କ ଉପରେ ଶୀଘ୍ର କର୍ଯ୍ୟନୁଷ୍ଠାନ ନେବାକୁ ଦାବି ରଖିଥିଲେ ବିଜେପି ସଦସ୍ୟ। ଅନେକ ପୋଖରୀ ମଧ୍ୟ ଚତୁରତାର ସହ ମାଟି ପୋତି ପ୍ଲଟିଂ କରି ବିକ୍ରି କରି ଦେଇଥିବା ଅଭିଯୋଗ କରିଥିଲେ। ସ୍ଥାନୀୟ ନୂତନ ଟାଉନହଲ୍ ପାଖରେ ଏକ ବେଆଇନ ନର୍ସରୀ ହୋଇଥିବା ଓ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏହାକୁ ଭଡ଼ା ସୂତ୍ରରେ ଦେଇଥିବା କଥା ଅଭିଯୋଗ କରିଥିଲେ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ମହାପାତ୍ର। ପୌର ଅଧିକାରୀ ଏହି ବିଷୟରେ ସେ ଅବଗତ ନଥିବା ଓ ଉପ-ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ଯୋଗାଯୋଗ କରି ଉକ୍ତ ସ୍ଥାନ ଗୁଡିକୁ ସାତ ଦିନ ଭିତରେ ଉଚ୍ଛେଦ କରାହେବା ନେଇ ଗଣ ମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ସୋନପୁର ସହର ମଧ୍ୟରେ କେତୋଟି ପୋଖରୀ ଅଛି ଓ ପୌର ପ୍ରଶାସନ ସମସ୍ତ ପୋଖରୀ ସୂତ୍ରରୁ କେତେ ଟଙ୍କା ଆୟ କରୁଛନ୍ତି ଏହାର ହିସାବ ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଶିବରାମ ସାହୁ ମାଗିଥିବା ବେଳେ ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ପୁରା ଠପ୍ ହୋଇପଡ଼ିଥିବା କହିଥିଲେ। ସହରର ମୂଖ୍ୟ ସ୍ଥାନ ମାନଙ୍କରେ ହୋଇଥିବା ଜବରଦଖଲ ଶୀଘ୍ର ହଟାଇବା ପାଇଁ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ ଓ ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ବାଳ, ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅନୁରୋଧ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି। ଘେରାଉ ସମୟ ରେ କାଉନସିଲର ଗଙ୍ଗା ତାରିଆ, ସୁକାନ୍ତ ସାହୁ, ପୂର୍ବତନ କାଉନସିଲର ତ୍ରିଲୋଚନ ତରିଆ, ନରସିଂହ ପୃଷ୍ଟି, ବିବେକା ନନ୍ଦ ମିଶ୍ର, ବିକ୍ରାନ୍ତ କେଶରୀ ମିଶ୍ର, ରାଜେଶ୍ ସାହୁ, କିଶୋର ମିଶ୍ର, ଅନନ୍ତ ମିଶ୍ର, ଦେବାଶିଷ ପୁଝାରୀ, ସୁରୁବାବୁ ସାହୁ, ବିକି ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ପ୍ରଫୁଲ୍ଲ ମେହେର, ବାବୁଲୁ ଭରାସାଗର ପ୍ରମୁଖ ବିଜେପି ସଦସ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.