ମୋହନ ବିଷି ପାଇଲେ ରାଜ୍ୟପାଳ ପୁରସ୍କାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅର୍ନ୍ତଗତ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ତଥା ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି ରାଜ୍ୟର ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ ପୁରସ୍କୃତ ହୋଇଛନ୍ତି। ଭୁବନେଶ୍ଵର ରାଜ ଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ପୁରସ୍କାର ବିତରଣ ଉତ୍ସବରେ ମହାମହିମ ରାଜ୍ୟପାଳ, ଓଡିଶା ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ବିଷିଙ୍କୁ ୨୦୧୯-୨୦ ବର୍ଷ ପାଇଁ ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ଓ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ଡ଼. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ବାଇଁ, ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମୋହନ ଚରଣ ବିଷି ଜଣେ ନିୟମିତ ରକ୍ତଦାତା ଓ ପ୍ରୋତ୍ସାହକ ଭାବେ ଚଳିତ ବର୍ଷ ପାଇଁ ରାଜ୍ୟ ରକ୍ତବୀର ସମ୍ମାନରେ ସମ୍ମାନୀତ ହୋଇଥିଲେ। ରକ୍ତଦାନ ବ୍ୟତୀତ ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ସମ୍ବନ୍ଧିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ସଂପାଦନ, ପ୍ରାଥମିକ ସହାୟତା ତାଲିମ ପ୍ରଦାନ, ବୃକ୍ଷ ରୋପଣ, ବିପର୍ଯ୍ୟୟ ପରିଚାଳନା ଓ ବିଭିନ୍ନ ସମ୍ବାଦ ପତ୍ର ମାନଙ୍କରେ ନିୟମିତ ସ୍ତମ୍ଭକାର ଭାବରେ ସଚେତନତା ମୂଳକ ଲେଖା ପ୍ରକାଶନ ପରି ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ପୁରସ୍କାର ପାଇଁ ମନୋନିତ କରାଯାଇଥିଲା। ଶ୍ରୀଯୁକ୍ତ ବିଷିଙ୍କ ଏହି ସଫଳତାରେ କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ସରୋଜାନନ୍ଦଜୀ,ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ, ଧର୍ମଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ବରିଷ୍ଠ ସାମ୍ବାଦିକ ତଥା ରେଡକ୍ରସ୍ ଆଜୀବନ ସଦସ୍ୟ ହୃଷିକେଶ ମିଶ୍ର, ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ, ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜୀବ କୁମାର ସାହୁ, ସଂଯୋଜକ ଶାନ୍ତନୁ କୁମାର ପରିଡ଼ା,ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରାମର୍ଶଦାତା, ଲଖିରାମ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବେହେରାର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ସମେତ ସମସ୍ତ କର୍ମଚାରୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.