‘ବିଜୁଳି ତ ନାହିଁ, ବିଲ୍ ଦେବୁ କାହିଁପାଇଁ’

ଲାଞ୍ଜିଗଡ଼ ଅଞ୍ଚଳରେ ଦିନତମାମ ବିଦ୍ୟୁତକାଟ : ଲୋକେ ଅତିଷ୍ଠ

ମାର୍ଚ୍ଚ ମାସ ଆସିଲେ ତେଜନ୍ତି ବିଦ୍ୟୁତ୍ ବିଭାଗ, ବିଲ ଦିଅନ୍ତୁ ନଚେତ ବିଦ୍ୟୁତ୍ କାଟିବୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଦ୍ୟୁତ ବିଭାଗର ଲୁଚକାଳି ଖେଳ ଏବେ ଲୋକଙ୍କ ପାଇଁ କାଳ ସାଜିଛି। ବର୍ତ୍ତମାନର ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥିବା ଦିନର ୨୪ ଘଣ୍ଟା ମଧ୍ୟରୁ ୧୬ରୁ ୧୭ ଘଣ୍ଟା ବାରମ୍ବାର ବିଦ୍ୟୁତକାଟ ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲୋକେ ବହୁମାତ୍ରାରେ ଅତିଷ୍ଠ ହୋଇ ହୋଇପଡ଼ିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। ବିଦ୍ୟୁତ୍ ବିଭାଗ ଟାଟା କଂପାନୀକୁ ଯିବା ପରେ ଲୋକେ ଉତ୍ତମ ଗୁଣବତ୍ତା ସେବା ପାଇବେ ବୋଲି ଆଶା କରିଥିଲେ। ତେବେ ଟାଟା କଂପାନୀ ବିଦ୍ୟୁତ ବିଭାଗର ଦାୟିତ୍ବ ନେବା ପରେ ବିଦ୍ୟୁତ ଦେୟ ପରିମାଣ ବହୁ ପରିମାଣରେ ବଢ଼ିଲା ସିନା ବିଦ୍ୟୁତ ସେବା ମିଳିଲା ନାହିଁ। ଯାହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଜନଆକ୍ରୋଶ ତୀବ୍ର ହେବାରେ ଲାଗିଛି। ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ବ୍ଲକର ଦୁର୍ଗମ ଅଞ୍ଚଳରେ ଚୋରି ଓ ଦୁର୍ଘଟଣା ସଂଖ୍ୟା ବ୍ରୁଦ୍ଧି ପାଉଥିବାବେଳେ ଅନେକ ଛୋଟବଡ଼ ବିଦ୍ୟୁତ୍ ଚାଳିତ କଳକାରଖାନା ବନ୍ଦ ହୋଇଯାଇଛି । ସେହିପରି ବ୍ରୁଦ୍ଧବ୍ରୁଦ୍ଧା, ରୋଗୀ ଓ ଶିଶୁମାନେ ବିଦ୍ୟୁତକାଟ ଯୋଗୁଁ ତ୍ରାହିତ୍ରାହି ଡାକ ଛାଡ଼ୁଥିବାବେଳେ ଦିନତମାମ ବିଦ୍ୟୁତ ଯିବାଆସିବା ଲାଗି ରହିଥିବାରୁ ଗରିବଗୁରୁବାମାନେ ବିଦ୍ୟୁତ ସଂଯୋଗ ଥାଇ ବି ଅନ୍ଧାର ମଧ୍ୟରେ କାଳ କାଟୁଛନ୍ତି। ଦିନ ଓ ରାତିସାରା ଲୋକେ ପ୍ରବଳ ଗରମରେ ସିଝୁଥିବାବେଳେ ମଶାକାମୁଡ଼ା ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଉଛି ଅନ୍ୟ ପଟେ ବିଭାଗୀୟ ଯନ୍ତ୍ରୀ ମହାଶୟଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ଚେଷ୍ଟା କଲେ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ଥାଏ ଏବଂ ଭାଗ୍ୟବସତ ଯଦି ବି କଲ ଲାଗିଲେ ସାର ଫୋନ ଉଠାନ୍ତି ନାହିଁ। କୌଣସି ଜାଗାରେ ତାର ଛିଣ୍ଡି ଯାଇଥବ, ଗଛ ପଡିଥିବ କି କୌଣସ ଜାଗାରେ ତାରରୁ ନିଆଁ ବାହାରିବା ଦେଖିଲେ ହିଁ ଲୋକେ ବିଭାଗୀୟ ଯନ୍ତ୍ରୀଙ୍କୁ କଲ କରନ୍ତି ନଚେତ ଅଞ୍ଚଳରେ ବିଦ୍ୟୁତ୍ ନଥିଲେ ହିଁ ଫୋନ କରନ୍ତି କିନ୍ତୁ ଯାହାହେଉ ତାଙ୍କର କଣ ଯାଏ ଆସେ ଲାଇଟ୍ ଗଲେ ସାର ଫୋନ ଅଫ କରି ପଡୋଶୀ ଜିଲ୍ଲା ଅମ୍ବାଦୋଲା ସ୍ଥିତ ବାସଭବନରେ ଏସି ଲଗାଇ ଆରାମରେ ସୋଇଯାଆନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ଘୋର ନିନ୍ଦା କରୁଛନ୍ତି। ଏଣୁ ବିଦ୍ୟୁତସେବା ଅନୁପାତରେ ହିଁ ବିଦ୍ୟୁତ ବିଲ୍ ଦେବାକୁ ଜନସାଧାରଣ ମନସ୍ତ କରିଥିବା ସୂଚନା ମିଳିଛି ! ଏପରିକି “ବିଜୁଳି ନାହିଁ ତ ବିଲ୍ ଦେବୁ କାହିଁ ପାଇଁ” ଓ “ଲାଞ୍ଜିଗଡ଼ ଅଞ୍ଚଳ କୁ ୨୪X୭ ନିରନ୍ତର ବିଦ୍ୟୁତ ଯୋଗାଉ ଥିବାରୁ ବିଦ୍ୟୁତ ବିଭାଗକୁ ଅଶେଷ ଅଶେଷ ଧନ୍ୟବାଦ” ଶୀର୍ଷକ ଏବେ ସୋସିଆଲ୍ ମିଡ଼ିଆରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି। ଏପରି ହେଲେ ଆଗାମୀ ଦିନରେ ବିଦ୍ୟୁତ ବିଭାଗର ରାଜସ୍ବ ଓ ଆୟ ଆଶାତୀତ ଭାବେ ହ୍ରାସ ପାଇବ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି। ଏଣୁ ସମୟ ଥାଉଣୁ ବିଦ୍ୟୁତ ବିଭାଗ ବିଦ୍ୟୁତସେବା ଓ ବିଦ୍ୟୁତ ଯୋଗାଣରେ ସୁଧାର ନଆଣିଲେ କଂପାନୀକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଅଞ୍ଚଳରେ ଆଲୋଚନା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.