ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରି ବଢାଇଲେ ମ.ରାମପୁରର ଗୈାରବ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବା ଶ୍ରୀୟାଂଶୀ ସାହୁଙ୍କୁ ଜନ୍ମ ମାଟି ମ.ରାମପୁରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମ.ରାମପୁର ପ୍ରେସ କ୍ଲବ ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବିଡ଼ିଓ ସବ୍ୟସାଚୀ ବେହେରା, ରାଜ୍ୟ ସରପଂଚ ସଂଘ ସଭାପତି ରୋମାଞ୍ଚ ସାହୁ, ଏ ସି ଏଫ୍ ଅସିତ୍ କୁମାର ଦାଶ, ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀୟାଂଶି ସାହୁ ମଞ୍ଚାସିନ ରହିଥିବା ବେଳେ ସମ୍ପାଦକ ହେମନ୍ତ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ମେଧାବୀ ଛାତ୍ରୀ ଶ୍ରୀୟାଂଶିଙ୍କ ଏହି ସଫଳତା ମ.ରାମପୁର ସମେତ କଳାହାଣ୍ଡି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଛାତ୍ରୀଙ୍କୁ ପ୍ରେସ କ୍ଳବ୍ ସମେତ ମ.ରାମପୁର ବ୍ଲକ୍, ବୁକ୍ ଲ୍ୟାଣ୍ଡ, ମ.ରାମପୁର ଗ୍ରାମ ପଞ୍ଚାୟତ, ମଦନପୁର ଗ୍ରାମ ପଞ୍ଚାୟତ, ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସେବା ଜଗତ, ମହାଶକ୍ତି ଫାଉଣ୍ଡେସନ, କଳାହାଣ୍ଡି ଯ୍ୟୋର୍ତିବିତ ସଂଘ, ମ.ରାମପୁର ବିଜେପି ଦଳ ଭଳି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ଶୁଭ କାମନା ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀୟାଂଶି ପିତା ଅଧ୍ୟାପକ ଶିଶିର କୁମାର ସାହୁ ଓ ମାତା ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ସାହୁଙ୍କ ବଡ଼ ଝିଅ ହେଇଥିବା ବେଳେ ସେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ ଅଟନ୍ତି । ତେବେ ଏହି ସଫଳତା ପରେ ଆଜି ଜନ୍ମ ମାଟି ରେ ପାଦ ଥାପି ଏହି ସମ୍ବର୍ଦ୍ଧନା ମୋତେ ଆଗକୁ ଯିବାରେ ପୂର୍ଣ୍ଣ ସହଯୋଗ କରିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସମ୍ବର୍ଦ୍ଧନା ସମାରୋହ ପରେ ଛାତ୍ରୀଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ତଳ ସାଗର ପଡ଼ା ସ୍ଥିତ ନିଜ ବାସ ଭବନ ପର୍ଯ୍ୟନ୍ତ ନିଆ ଯାଇଥିଲା । ଏହି ସମୟରେ ଗ୍ରାମବାସୀ ମାନେ ମଧ୍ୟ ନିଜ ନିଜ ଗୃହ ସାମ୍ନା, ଛକ ଗୁଡିକ ରେ ଶ୍ରୀୟାଂଶି କୁ ପୁଷ୍ପ, ଚନ୍ଦନ, ଉତ୍ତରୀୟ, ଉପହାର ଦେଇ ଭବ୍ୟ ସ୍ଵାଗତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମ.ରାମପୁର ପ୍ରେସ କ୍ଲବ, ଜିଲ୍ଲାର ବିଭିନ୍ନ ପ୍ରାନ୍ତର ସାମ୍ବାଦିକ ସଂଘର ସଦସ୍ୟ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ ।