ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଠାରୁ ବିଶାଖାପାଟଣା ସହ ଯୋଡୁଥିବା ଜୀବନରେଖା କହିଲେ ଭୁଲ ହେବନି ୬ ନମ୍ବର ରାଜ୍ୟ ରାଜପଥ। କିନ୍ତୁ ଏଇ ଲାଇଫଲାଇନ୍ ଉପରେ ଥିବା କାଉଗୁଡ଼ା-ସିକେରକୁପା ପୋଲ ଏବେ ଲୋକଙ୍କ ପାଇଁ ମୃତ୍ୟୁଫାନ୍ଦ ପାଲଟିଛି। ଏହି ପୋଲ ମଝିରେ ବିରାଟ ବିପଦସଂକୁଳ ଗାତ ସୃଷ୍ଟି ହୋଇଛି। ଗାତର ଆକାର ଦିନକୁ ଦିନ ବଢି ଚାଲିଛି, ହେଲେ ଦାୟିତ୍ବରେ ଥିବା ପୂର୍ତ୍ତବିଭାଗ ଆଖି ବୁଜି ବସିଛି। ଏବେ ବର୍ଷା ଦିନ ଆସିଯାଇଛି। ବର୍ଷା ହେଲେ ପାଣିରେ ପୁରା ଖାଲ ଲୁଚିଯାଉଛି। ଦୂରୁ ଆସୁଥିବା ଚାଳକ ଏହାକୁ ଜାଣି ପାରୁନାହାନ୍ତି। ଫଳରେ ମାଲବାହୀ ଟ୍ରକ୍, ବାଇକ୍, ଯାତ୍ରୀବାହୀ ବସ୍ ସିଧା ଗାତ ଭିତରକୁ ଖସିଯାଇ ଦୁର୍ଘଟଣା ପ୍ରତିଦିନର କଥା ହୋଇଛି।
ସ୍ଥାନୀୟ ଲୋକ କହିବା ଅନୁସାରେ ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ମାଲବାହୀ ଗାଡି ଯାଉଛି। ରାୟପୁରରୁ ଆରମ୍ଭ କରି ବିଶାଖାପାଟଣା ଯାଏ ଏଇ ରାସ୍ତା ହିଁ ଭରସା। କିନ୍ତୁ ଏବେ ଏଇ ପୋଲ ପାଖରେ ପହଞ୍ଚିଲେ ପ୍ରାଣ ହାତରେ ଧରି ଯିବାକୁ ପଡୁଛି। ଏହା ନୂଆ କଥା ନୁହେଁ। ଗତ କିଛି ବର୍ଷ ହେଲା ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ବାରମ୍ବାର ଗୁହାରି କରିଆସୁଛନ୍ତି। ସ୍ମାରକପତ୍ର ଦିଆଯାଇଛି, ଖବର କାଗଜରେ ଛପିଛି, ହେଲେ ଫଳ ଶୂନ୍ୟ। ଆଶ୍ଚର୍ଯ୍ୟର କଥା ହେଲା, ପୂର୍ତ୍ତ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ନିଜେ ଏଇ ରାସ୍ତାରେ ଯାତାୟାତ କରୁଛନ୍ତି। ତଥାପି କାହାରି ନଜର ପଡୁନାହିଁ। କ’ଣ ସେମାନଙ୍କ ଗାଡି ଏଇ ଗାତ ଉପରେ ଡେଇଁ ଯାଉଛି ନା ଲୋକଙ୍କ ଜୀବନ ସେମାନଙ୍କ ପାଇଁ ମୂଲ୍ୟହୀନ ବୋଲି ପ୍ରଶ୍ନ ହେଉଛି। ଏହି ପୋଲ ଉପରେ ବଡ ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ପୋଲର ମରାମତି କରାଯାଉ। ଯଦି ପ୍ରଶାସନ ଏବେ ବି ନିଦରୁ ଉଠିବ ନାହିଁ, ତେବେ ଅଞ୍ଚଳବାସୀ ରାସ୍ତା ଅବରୋଧ ସହ ଉଗ୍ର ଆନ୍ଦୋଳନକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।





