ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମଙ୍ଗଳବାର ଅପରାହ୍ନରେ କୋକସରା ବ୍ଲକର ଲଡୁଗାଁ- ଉଛୁଲା କେନାଲ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ମିଲିପାରି ନଥିବା ବେଳେ ତାଙ୍କ ସାଥିରେ ଥିବା ଅନ୍ୟଜଣଙ୍କ ମଧ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କର ପରିଚୟ ମିଲିପାରି ନାହିଁ। ଅନ୍ୟ ବାଇକରେ ଥିବା ଦୁଇ ଜଣ ଗୁରୁତର ହେଲେ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ତେନ୍ତୁଳିପଡ଼ାର କ୍ଷିତିରାମ ପୋଟା ଓ ମିତ୍ରଭାନୁ ମାଝୀ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଉପଲବ୍ଧ ନଥିବା ଯୋଗୁଁ କୋକସରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଏହା ପରେ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ ସୁନୀଲ ରଞ୍ଜନ ବରାଲ, ରାଧେଶ୍ୟାମ ପ୍ରଧାନ, ସ୍ମୃତି ରଞ୍ଜନ ବିଶ୍ୱାଳ, ସତ୍ୟମ୍ ଶିବ ମାଝୀ, ଦେବାଶିଷ ମହାପାତ୍ର, ବିଶ୍ଵଜିତ ଜେନା ପହଞ୍ଚି ମୃତକ ଓ ସମସ୍ତ ଗୁରୁତରକୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ତେବେ ଗୁରୁତର ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। କୋକସରା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।





