ନର୍ଲା ସ୍ୱାଭିମାନ ମଞ୍ଚର ବ୍ୟାପକ ପ୍ରସ୍ତୁତି
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନଏସି ଅଧିନସ୍ଥ ନର୍ଲାରୋଡ ରେଳ ଷ୍ଟେସନରେ ଜୁଲାଇ ୧ ତାରିଖରେ ରେଳରୋକ କରିବା ପାଇଁ ନର୍ଲା ସ୍ୱାଭିମାନ ମଞ୍ଚ ବ୍ୟାପକ ପ୍ରସ୍ତୁତି ଚଳେଇଛି । ଏନେଇ ଗୁରୁବାର ସଂଧ୍ୟା ୬ ଘଣ୍ଟା ସମୟରେ ସ୍ଥାନୀୟ ଡାକ ବଙ୍ଗଳା ଠାରେ ସ୍ୱାଭିମାନ ମଞ୍ଚର ସଭାପତି ପ୍ରଦୀପ କୁମାର ନାଏକଙ୍କ ସଭାପତିତ୍ୱରେ ଏକ ସର୍ବଦଳୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାଭିମାନ ମଞ୍ଚର ସମ୍ପାଦକ ଦୀପୁ ପାତ୍ର ଏହାକୁ ପରିଚାଳନା କରିଥିବା ବେଳେ ଏଥିରେ ମଞ୍ଚର ବରିଷ୍ଠ ସଦସ୍ୟ ମୀନକେତନ ବିଶ୍ୱାଳ, ଚୁଳମଣି ଗୌଡିଆ, ନିକୁଞ୍ଜ ଦତ୍ତା, ନନ୍ଦକିଶୋର ଜେନା, ଜଗନ୍ନାଥ ସାହୁ, ଦିଲୀପ ଗହୀର, ସମୀର ଚାନ୍ଦ, ନାରାୟଣ ମାଝୀ, କୁନୁ ପ୍ରଧାନୀ, ଶତୃଘନ ସେନାପତିଙ୍କ ସମେତ ୫୦ରୁୁ ଉର୍ଦ୍ଧ୍ୱ ଜନସାଧାରଣ ଓ ସଦସ୍ୟ ସାମିଲ ହୋଇଥିଲେ। ସଭାପତି ଶ୍ରୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ନର୍ଲା, ନର୍ଲାରୋଡ, ସର୍ଗିଗୁଡା ଓ ଏହାର ଆଖପାଖ ଅଞ୍ଚଳର ୨୦୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହେବ। ଏଥି ପାଇଁ ପାରିପାର୍ଶ୍ଵିକ ବିଭିନ୍ନ ବ୍ୟବସ୍ଥା ଗୁଡିକ ବିଷୟରେ ଆଲୋଚନା କରାଯାଇ ଦାଇତ୍ୱ ବଣ୍ଟନ କରାଯାଇଥିଲା। ଆନ୍ଦୋଳନର ପୂର୍ବଦିନ ଅର୍ଥାତ ୩୦ ଜୁନରେ ନର୍ଲା ବସଷ୍ଟାଣ୍ଡ ଓ ନର୍ଲାରୋଡ ଷ୍ଟେସନ ଛକ ଠାରେ ବୈଠକ ମଧ୍ୟ କରାଯିବ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଜୁନ ୨୦ରେ ରେଳରୋକ ଆନ୍ଦୋଳନ ପାଇଁ ସ୍ୱାଭିମାନ ମଞ୍ଚ ନିଷ୍ପତି ନେଇଥିଲା। ହେଲେ ରେଳବାଇ କତ୍ତୃପକ୍ଷ ନର୍ଲା ଆସି ମଞ୍ଚର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରି ଦାବୀ ରଖାଯାଇଥିବା ଏକ୍ସପ୍ରେସ ଟ୍ରେନ ସବୁ ନର୍ଲାରୋଡ ଷ୍ଟେସନରେ ରହଣୀ ରହିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଏହା ର କୌଣସି ସୁଫଳ ମିଳିଲା ନାହିଁ। ଏଣୁ ମଞ୍ଚ ଏବେ ଦୃଢ ନିଷ୍ପତି ନେଇଛି ଆଉ ରେଳବାଇ ବିଭାଗର ମିଥ୍ୟା ପ୍ରତିଶୃତିରେ ନରମିବ ନାହିଁ। ରେଳରୋକ ଆନ୍ଦୋଳନ ହେବ ହିଁ ହେବ। ଜୁନ ୨୯ ଓ ୩୦ ଦୁଇଦିନ ଧରି ଡାକବାଜୀ ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯିବ। ମ.ରାମପୁର ଠାରୁ ଏପଟେ ଛତିକୁଡା ଯାଏଁ ପ୍ରସାର ପ୍ରସାର କରାଯିବ ବୋଲି ବୈଠରେ ସ୍ଥିରିକୃତ ହୋଇଥିଲା। ଅଞ୍ଚଳର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ତଥା ଏଥିରେ ସାମିଲ ହେବେ ନର୍ଲା, ନର୍ଲାରୋଡ, ସର୍ଗିଗୁଡା ଅଞ୍ଚଳର ସମସ୍ତ ବ୍ୟବସାୟୀ। ଏହିଦିନ ନର୍ଲା ମାର୍କେଟ, ଦୋକାନ ବଜାର ଓ ସ୍କୁଲ, କଲେଜ ସବୁ ବନ୍ଦ ରହିବ। ଏବଂ ଏଥିପାଇଁ ସ୍ଥାନୀୟ ପୋଲିସ, ରେଳବାଇ ପୋଲିସ ଓ ସ୍କୁଲ, କଲେଜର କତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯିବ ବୋଲି ସ୍ଥିରିକୃତ ହୋଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ କରୋନା ପୂର୍ବରୁ ନର୍ଲାରୋଡ ରେଳ ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ରହିଥିଲା। କରୋନା ଲକଡାଉନରୁ ସମସ୍ତ ଟ୍ରେନ ଗୁଡିକର ଚଳାଚଳ ବନ୍ଦ ହୋଇଗଲା। ଏବଂ ଲକଡାଉନ ଖୋଲିବା ପରେ ପୁଣି ଟ୍ରେନ ଗୁଡିକ କୋଭିଡ ସ୍ପେସିଆଲ ଟ୍ରେନ ଭାବରେ ଚାଲିଲା ହେଲେ ପୂର୍ବରୁ ରହଣୀ ରହିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକ ଆଉ ନର୍ଲାରୋଡ ରେଳ ଷ୍ଟେସନ ରେ ରହଣୀ ରହିଲା ନାହିଁ। ୨୦୨୨ ଅପ୍ରେଲ ୧୧ ରେ ରୁପ୍ରାରୋଡ ରେଳ ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିବା ପରେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନରେ ସମଲେଶ୍ୱରୀ, କୋରବା- ବିଶାଖାପଟନମ, ଏଲେପି- ଧାନବାଦ, ପୁରୀ-ଅହମଦାବାଦ ପ୍ରଭୃତି ଟ୍ରେନ ଗୁଡିକର ରହଣୀ ହେଲା। ହେଲେ ଅଞ୍ଚଳ ବାସୀଙ୍କ ପ୍ରମୁଖ ଦାବୀ ରହିଥିବା ସମତା ସୁପର ଫାଷ୍ଟ ଏକ୍ସପ୍ରେସ, ବିଲାସପୁର-ତିରୁପତି ଏହି ଟ୍ରେନ ଗୁଡିକର ପୁନଃ ରହଣି ପାଇଁ ସ୍ୱାଭିମାନ ମଞ୍ଚ ତରଫରୁ ରେଳରୋକ ଆନ୍ଦୋଳନ ପାଇଁ ଚାଲିଛି ସଜବାଜ।





