ମହିଁଶାଳୀ ମୁହାଁଣରେ ମୁନ୍ କମ୍ୟୁନିକେସନ ପକ୍ଷରୁ ପାଳିତ ହେଲା ଆନ୍ତର୍ଜାତୀୟ ନୀଳରକ୍ତ କଙ୍କଡା ଦିବସ

ନୀଳରକ୍ତ କଙ୍କଡାର ସଂରକ୍ଷଣ ପାଇଁ ଉପକୂଳକୁ ଅଭୟାରଣ୍ୟ ଘୋଷଣା ଦାବି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ‘ମୁନ୍ କମ୍ୟୁନିକେସନ’ ପକ୍ଷରୁ ମହିଁଶାଳୀ ମୁହାଁଣ ଠାରେ ଆନ୍ତର୍ଜାତୀୟ ନୀଳରକ୍ତ କଙ୍କଡା ଦିବସ ପାଳିତ ହୋଇଯାଇଛି। ସଂଗଠନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁହାଁଣ ଅଞ୍ଚଳର ଡଙ୍ଗା ଓ ଭୁଟଭୁଟି ମାଲିକଙ୍କ ସହ ସେମାନଙ୍କର କର୍ମଚାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ନୀଳରକ୍ତ କଙ୍କଡାର ଜୀବନଶୈଳୀ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ରକ୍ତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ସାମୁଦ୍ରିକ ଜୈବ ବିବିଧତା ସୁରକ୍ଷାରେ ଏହାର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପରିବେଶ କର୍ମୀ ଉଦୟ ଭାନୁ ନାୟକ ଓ ମୁରଲୀଧର ମହାନ୍ତି ଯୋଗଦେଇ ଉପକୂଳ ବିକାଶ ପ୍ରକଳ୍ପ ଅନ୍ତର୍ଗତ ବେଳାଭୂମିରେ ବ୍ୟାପକ କଂକ୍ରିଟ ବନ୍ଧ ନିର୍ମାଣ ଫଳରେ ନୀଳରକ୍ତ କଙ୍କଡାଙ୍କ ଅଣ୍ଡାଦାନ ପ୍ରକ୍ରିୟା କିପରି ପ୍ରଭାବିତ ହେଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ ମନୁଷ୍ୟକୃତ ଜାଲରେ ଫସି ନୀଳରକ୍ତ କଙ୍କଡାଙ୍କ ମୃତ୍ୟୁ ରୋକିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ବକ୍ତାମାନେ ମତ ଦେଇଥିଲେ ଯେ, ନୀଳରକ୍ତ କଙ୍କଡାମାନେ ଅଣ୍ଡାଦାନ ପାଇଁ ଏହି ଉପକୂଳକୁ ବିଶେଷ ଭାବେ ଚୟନ କରୁଥିବାରୁ ସରକାର ଏହି ଅଞ୍ଚଳକୁ ଅଭୟାରଣ୍ୟ ଭାବେ ବିକଶିତ କରିବା ସହ ସେମାନଙ୍କ ବଂଶବୃଦ୍ଧି ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରିବା ଆବଶ୍ୟକ। ଶେଷରେ ମୁହାଁଣ ଅଞ୍ଚଳରେ ଜାଲ ସଫେଇ ଅଭିଯାନ କରାଯାଇଥିଲା। ଜାଲରେ ଫସି ରହିଥିବା ଅନେକ ନୀଳରକ୍ତ କଙ୍କଡାଙ୍କୁ ଉଦ୍ଧାର କରି ପୁନର୍ବାର ନଦୀରେ ଛାଡ଼ି ଦିଆ ଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଜଳଧର ବେହେରା, ଜିତେନ୍ଦ୍ର ଦାସ, କାର୍ତ୍ତିକ ନାୟକ, କରୁଣାକର ଜେନା ଓ ମାଗୁଣିଚରଣ ଦାସ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.