ସରକାରଙ୍କ କଳାକୃତି ପୁରସ୍କାର ବିଜୟିନୀ ଶିଳ୍ପୀ କନକଲତା ଦାସ ୨୦୨୫ ପାଇଁ ନିର୍ମାଣ କରିବେ ଜଉକଣ୍ଢେଇ
ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ପାରମ୍ପାରିକ ଜଉକଣ୍ଢେଇ ବାହାଘର ପ୍ରତିବର୍ଷ ଯଥାରୀତି ଧୁମଧାମରେ ପାଳନ କରାଯାଉଥିବା ବେଳେ ଏ ବର୍ଷ ଆଗାମୀ ଦିନରେ ହେବାକୁଥିବା ଜଉକଣ୍ଢେଇ ବାହାଘର ପାଇଁ ଜଉକଣ୍ଢେଇ ନିର୍ମାଣରେ ଲାଗି ପଡିଛନ୍ତି ବିଶିଷ୍ଟ ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ୍ । ଏଥିରେ ଶିଳ୍ପୀ ଶ୍ରୀମତୀ ଦାସ ବାଲେଶ୍ଵରର ଲୋକ ଉତ୍ସବ ଜଉକଣ୍ଢେଇ ବାହାଘରକୁ ଜଉକଣ୍ଢେଇର ନିପୂଣ କଳା ତଥା କାରୁକାର୍ଯ୍ୟ ମାଧ୍ୟମରେ ଏକ ସୁନ୍ଦର କଣ୍ଢେଇ ଶୋଭାଯାତ୍ରାକୁ ପ୍ରସ୍ଫୁଟିତ କରିଛନ୍ତି। ପାଲଙ୍କିରେ ବରକନିଆଁ, ଆଦିବାସୀ ନୃତ୍ୟ, ପିତୁଳା ନାଚ, ସାହି ଯାତ, ଢୋଲ ବାଜା, ବରଯାତ୍ରୀ ନୃତ୍ୟ ସହ ବର ପକ୍ଷ ଓ କନିଆଁ ପକ୍ଷ ଲୋକଙ୍କୁ ଏକ କଳାତ୍ମକ ଶୈଳୀରେ ସେ ପ୍ରଦର୍ଶିତ କରିଛନ୍ତି।
ଜଉକଣ୍ଢେଇ ଶିଳ୍ପୀ ଗୁରୁ ସ୍ବର୍ଗତ ସାବିତ୍ରୀ ନନ୍ଦୀଙ୍କ ଠାରୁ ପାରମ୍ପରିକ ଜଉକଣ୍ଢେଇ ଶିକ୍ଷା ପାଇଥିବା ବେଳେ ଶିଳ୍ପୀ କେଶୁ ଦାସଙ୍କ ଠାରୁ ନୂତନ ନୂତନ କଳା ଓ କୌଶଳ ଶିକ୍ଷା ଗ୍ରହଣ କରିଥିବା ବାଲେଶ୍ଵରର ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରବାସୀ ଶ୍ରୀମତୀ ଦାସ ୧୫୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ଜଉକଣ୍ଢେଇ ଶିଳ୍ପୀ କରାଇ ରୋଜଗାରକ୍ଷମ କରାଇଛନ୍ତି।
ଜ୍ଞାନଶ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ, ଜଉକଣ୍ଢେଇ ବାହାଘର ଉତ୍ସବ କମିଟି, ସମ୍ବାଦ, ପ୍ରମେୟ, ନାଚ୍ ଅନୁଷ୍ଠାନ, ବିଜେପି ମହିଳା ମୋର୍ଚ୍ଚା, ବାଲେଶ୍ଵର ପୌରପାଳିକା ପ୍ରମୁଖ ବହୁ ଅନୁଷ୍ଠାନ ଦ୍ବାରା ଶିଳ୍ପୀ ଶ୍ରୀମତୀ ଦାସ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ସେ ଜଉକଣ୍ଢେଇ କଳାରେ ବହୁ ପରୀକ୍ଷା ନିରୀକ୍ଷା କରି ନୂଆ ନୂଆ କଣ୍ଢେଇ ସୃଷ୍ଟି କରି ବିଲୁପ୍ତ କଳାରେ ପ୍ରାଣ ସଞ୍ଚାର କରିଛନ୍ତି।
ତାଙ୍କ ହାତ ତିଆରି ଜଉକଣ୍ଢେଇ ଫଟୋ ବିଶ୍ବ ପୋଷ୍ଟକାର୍ଡ ଦିବସ ୨୦୨୦ ରେ ଭାରତୀୟ ଡ଼ାକ ବିଭାଗ ପୋଷ୍ଟକାର୍ଡରେ ମଧ୍ୟ ମୁଦ୍ରିତ ହୋଇଛି। ତାଛଡ଼ା ତାଙ୍କ ହାତ ତିଆରି ଜଉକଣ୍ଢେଇର ରଥଯାତ୍ରା ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ଉପହାର ସ୍ଵରୂପ ପ୍ରଦାନ କରିଥିଲେ।
ତାଙ୍କର ସହଯୋଗରେ ୫ ଫୁଟ ଉଚ୍ଚର ବର କନିଆଁ ଜଉକଣ୍ଢେଇ ନିର୍ମାଣ କରା ଯାଇ ଚିଲିକାସ୍ଥ ଓଡିଆର୍ଟ ମ୍ୟୁଜିୟମରେ ସ୍ଥାନିତ କରାଯାଇଥିବା ବେଳେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର କଣ୍ଢେଇ ମ୍ୟୁଜିୟମ, କଳାଭୂମି ମ୍ୟୁଜିୟମ ମଧ୍ୟ ଏହି କଳାକୁ ସଂଗ୍ରହ କରିଛନ୍ତି। ସେ ଜଉକଣ୍ଢେଇରେ ବାଲେଶ୍ଵରୀ ଜଉକଣ୍ଢେଇ ସହ ପଶୁପକ୍ଷୀ, ଦେବଦେବୀ, ଗୃହ ଉପକରଣ ଓ ସାଜସଜ୍ଜା ଇତ୍ୟାଦି ଗଢ଼ିବା ସହ ଅନ୍ୟ ହସ୍ତକଳା ସହିତ ଜଉକଣ୍ଢେଇ ମିଶାଇ ଜଉକଳାକୁ ଭେଲ୍ୟୁଏଡ୍ କରାଇ ଜଉକଳାର ବିକାଶ କରାଇଛନ୍ତି। ତାଙ୍କର ଜଉକଣ୍ଢେଇରେ ନିର୍ମିତ ‘ଜଉକଣ୍ଢେଇ ବାହାଘର ଶୋଭାଯାତ୍ରା’, ‘ଜଗନ୍ନାଥଙ୍କ ରଥଯାତ୍ରା’, ‘ଦଶ ଅବତାର’ ସବୁରେ କଳାତ୍ମକ ଆକର୍ଷଣୀୟ ଭରି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।