ଓଡ଼ିଆ ବାର୍ତ୍ତା/ କୋଲନରା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର କୈଳାଶ କୋଟା ଘାଟିର କିଛି ସ୍ଥାନରେ ସୂଚନା ଫଳକ ନ ଥିବା ହେତୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜରରେ ରହିଛି। କେଉଁଠି ସୂଚନା ଫଳକ ପୋତା ଯାଇ ମୁଖ୍ୟ ବୋର୍ଡ ନାହିଁ ତ ଆଉ କେଉଁଠି ସୂଚନା ଫଳକ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଛି। ଫଳରେ ପ୍ରାୟ ସମୟରେ ଉକ୍ତ ଘାଟିରେ ଦୁର୍ଘଟଣା ଘଟୁଛି। ଖାସକରି ବାହାରୁ ଆସୁଥିବା ଗାଡି ଗୁଡ଼ିକ ବିଭିନ୍ନ ବୁଲାଣିରେ ରାସ୍ତା ଜାଣି ନ ପାରି ଅଧିକ ସଂଖ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାଇ କୈଳାଶ କୋଟା ଘାଟିରେ ମୋଟ ୧୨ରୁ ଉର୍ଦ୍ଧ୍ବ ଛୋଟ ବଡ ବୁଲାଣି ରହିଥିବା ବେଳେ ଚାଳକ ମାନଙ୍କୁ ସହଜରେ ରାସ୍ତା ଜାଣିବା ଭଳି ସେମିତି କିଛି ବ୍ୟବସ୍ଥା କରାଯାଇ ନାହିଁ। ଏମିତି ବି କିଛି ସ୍ଥାନ ରହିଛି ଯେଉଁଠି ସୂଚନା ଫଳକ ଗୋଟିଏ ଜାଗାରେ ଓ ବୁଲାଣି ଆଉ ଗୋଟିଏ ଜାଗାରେ ରହିଛି। ଯାହା ଚାଳକ ମାନଙ୍କୁ ଭ୍ରମିତ କରୁଛି। ଗଡାଣିଆ ଘାଟି ରାସ୍ତା ହେତୁ ଚାଳକ ମାନେ ହଠାତ୍ କୌଣସି ଉପାୟ ନ ପାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ୩୨୬ ନମ୍ବର ଜାତୀୟ ରାଜପଥର ଏହା ପ୍ରମୁଖ ମୁଖ୍ୟ ରାସ୍ତା। ଏହି ରାସ୍ତା ଦେଇ ରାୟଗଡ଼ା ଠାରୁ ଗୁଣୁପୁର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, କାଶୀନଗର ଓ ବ୍ରହ୍ମପୁର, ଭୁବନେଶ୍ୱର-କଟକ ଯାଇ ହୁଏ ଏବଂ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଠାରୁ କୋରାପୁଟ, ଜୟପୁର, ନବରଙ୍ଗପୁର, ମାଲକାନଗିରି ଗମନାଗମନ କରିବା ସୁବିଧା ରହିଛି। ପ୍ରତ୍ୟେକ ଦିନ ହଜାର ସଂଖ୍ୟକ ଯାନବାହାନ ଏହି ରାସ୍ତା ଦେଇ ଚଳାଚଳ କରନ୍ତି। ବେଳେ ବେଳେ ଭାରି ଯାନ ଠିକ୍ ଭାବେ ରାସ୍ତା ଜାଣି ନ ପାରି ଘାଟିରେ ଫସି ରହୁଛି। ଯଦ୍ୱାରା ରାସ୍ତା ଜାମ୍ ପରିସ୍ଥିତି ମଧ୍ୟ ଅନେକ ଥର ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏ ଦିଗରେ ଜାତୀୟ ରାଜପଥ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସଠିକ୍ ଓ ନୂଆ ସୂଚନା ଫଳକ ଲଗାଇବା ନିମନ୍ତେ ସାଧାରଣରେ ଦାବି ହୋଇଛି।