ଉଲିକୁପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ମୋର ଅଧିକାର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଉଲିକୁପା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବି ଏଜୁକେଟେଡ୍ ମୁଭମେଣ୍ଟ ୟୁଏସ୍ଏ ଓ ଦଶରା ପଟନାର ସଂୟୁକ୍ତ ପ୍ରୟାସରେ “ଶିକ୍ଷା ମୋର ଅଧିକାର” କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଯିବା ସହିତ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦାନ୍ତ ମନ୍ଜନ ଓ ଦାନ୍ତ ଘସା ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ କ୍ରୀଡା ପ୍ରତି ସଚେତନ କରିବାପାଇଁ ବାଳବାଟିକା, ପ୍ରାଥମିକ, ମଧ୍ୟମିକ, ଉଚ୍ଚ ଓ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବେଙ୍ଗ କୁଦ, ଗୋଲି-ଚମଚ, ଏକ ପାଦ ଦୌଡ଼ ଓ ୧୦୦ ମିଟର ଦୌଡ଼ ଇତ୍ୟାଦି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସେହିପରି, ଛାତ୍ରଛାତ୍ରୀଙ୍କର ତର୍କ ସମ୍ମତ ଓ ମାନସିକ କ୍ଷମତା ପରୀକ୍ଷା ପାଇଁ ପ୍ରତିଯୋଗିତା ପରୀକ୍ଷା ଆୟୋଜନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବାନୀ ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ମାଝୀ କହିଥିଲେ ଯେ, ‘ଶିକ୍ଷା ମୋର ଅଧିକାର କାର୍ଯ୍ୟକ୍ରମ ସମଗ୍ର ଭାରତରେ ଆୟୋଜିତ ହେଉଛି ଓ ଏହିପରି କାର୍ଯ୍ୟକ୍ରମ ସେହି ଅଞ୍ଚଳରେ ହେଉଛି ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ସହଯୋଗ ଆବଶ୍ୟକ। ନିଶ୍ଚିତଭାବେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ।’

ଏହି ଅବସରରେ କ୍ରୀଡା ଓ ପ୍ରତିଯୋଗିତା ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତା ପରୀକ୍ଷାରେ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀରୁ ଚୟନିତ ୨-୨ ଜଣ ଛାତ୍ରଛାତ୍ରୀଙ୍କୁ ୧୫୦୦ ଟଙ୍କାର ଭାଉଚର ପ୍ରଦାନ କରାଗଲା ଓ ସେମାନଙ୍କୁ ୧୫ ମାସ ପର୍ଯ୍ୟନ୍ତ ନିଶୁଲ୍କ ଟ୍ୟୁସନ ବି ଏଜୁକେଟେଡ୍ ମୁଭମେଣ୍ଟ ୟୁଏସ୍ଏ ଦ୍ୱାରା ଦିଆଯିବ, ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ବିକାଶରେ ଏକ ନିଶ୍ଚିତ ପ୍ରୟାସ।

ବି ଏଜୁକେଟେଡ୍ ମୁଭମେଣ୍ଟ ୟୁଏସଏ ଓ ଦଶରା ପଟନାର ପ୍ରୋଗ୍ରାମ କୋଅର୍ଡିନେଟର ଫଲେନ୍ଦ୍ର ପଟେଲ ମୁଖ୍ୟ ଅତିଥି ହରିଶଙ୍କର ମାଝିଙ୍କୁ ସମ୍ମାନ ସ୍ୱରୂପ ପ୍ରତୀକଚିହ୍ନ ପ୍ରଦାନ କରିଥିଲେ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବାନୀ ପ୍ରସାଦ ନାଏକଙ୍କୁ ବିଦ୍ୟାଳୟ ସମ୍ମାନ ସ୍ୱରୂପ ପ୍ରତୀକଚିହ୍ନ ପ୍ରଦାନ କରିଥିଲେ। ସେହିପରି ନେହରୁ ଯୁବ କେନ୍ଦ୍ରର ପୂର୍ବତନ ଜାତୀୟ ଯୁବ ସ୍ଵେଚ୍ଛସେବୀ ମିଲନ କୁମାର ଭୋଇଙ୍କୁ କମ୍ୟୁନିଟି ହିରୋ ଭାବେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକବୃନ୍ଦ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.