ଅନ୍ତର୍ଜାତୀୟ ଯୁବ ଦିବସ ଓ ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଭବାନୀପାଟଣାରେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ଇଣ୍ଡକ୍ସନ୍ ଟ୍ରେନିଂ ପ୍ରୋଗ୍ରାମ ) ଏବଂ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ବିଶ୍ଵ ବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ ରେଡକ୍ରସ୍ ପତାକା ଉତ୍ତୋଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଯୁବ ରେଡକ୍ରସର ଶପଥ ପାଠ କରାଇବା ସହ ଛାତ୍ର ଛାତ୍ରୀ ମାନଙ୍କ ବ୍ୟକ୍ତିତ୍ଵର ବିକାଶ ପାଇଁ ସମାଜସେବାରେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ। ଆୟୋଜିତ ସଚେତନତା ସଭାରେ ସମ୍ମାନିତ ଅତିଥି ଭାବେ କୁଳ-ସଚିବ ଡ. ଗୁଣନିଧି ନାଏକ ଓ ଉପ କୁଳ-ସଚିବ ଡ. ଜୟଦେବ ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୁବ ରେଡକ୍ରସର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ତଥା ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଲାମୁଣ୍ଡାର ଶିକ୍ଷା ବିଭାଗ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ରେଡକ୍ରସର ଇତିହାସ ଓ ବିକାଶ, ମୌଳିକ ନୀତି ଓ ଚିହ୍ନ ବିଷୟରେ ଆଲୋକପାତ କରିଥିଲେ। ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁସ୍କୁଟିର ଯୁବ ରେଡକ୍ରସ୍ ପରାମର୍ଶଦାତା ତଥା ଇତିହାସ ବିଭାଗ ଅଧ୍ୟାପକ ସୁଧୀର କୁମାର ପଣ୍ଡା ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ତଥା ଅର୍ଥନୀତି ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ରଜନୀକାନ୍ତ ଜେନା ସମାଜ ସେବାରେ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଯୁବ ରେଡକ୍ରସ୍ ଜିଲ୍ଲା ଆବାହକ ସମ୍ପାଦକ ତଥା ବିଶ୍ଵ ବିଦ୍ୟାଳୟର ଇଂରାଜୀ ବିଭାଗର ସହକାରୀ ପ୍ରାଧ୍ୟାପକ ସଞ୍ଜୀବ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗତ ଶିକ୍ଷାବର୍ଷ ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର-ଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ଯକ୍ରମକୁ ସଫଳ ରୂପ ଦେବାରେ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.