‘ଭାରତୀୟ ଭାଷା ସମ୍ମାନ’ ଗ୍ରହଣ କଲେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ପାତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାରାଣାସୀର କାଶୀ ବିଦ୍ୟାପୀଠ ଅଡିଟୋରିୟମରେ ‘ହିନ୍ଦୁସ୍ଥାନ ସମାଚାର’ ପକ୍ଷରୁ ଆୟୋଜିତ ଭାରତୀୟ ଭାଷା ସମ୍ମିଳନୀ ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ରଙ୍କୁ ‘ଭାରତୀୟ ଭାଷା ସମ୍ମାନ- ୨୦୨୫’ରେ ସମ୍ମାନିତ କରାଯାଇଛି।

ଓଡ଼ିଆ ଭାଷା ଓ ସାହିତ୍ୟରେ ନିଜର ଅସାଧାରଣ ଅବଦାନ ସହ, ଆଦିବାସୀ ଅଧ୍ୟୟନ ଓ ଗବେଷଣା ତଥା ସାହିତ୍ଯର ବିବିଧ ବିଷୟରେ ଶତାଧିକ ପ୍ରକାଶନମାଳା ପାଇଁ ପ୍ରଫେସର ପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

‘ମାତୃଭାଷା ଓ ବିକଶିତ ଭାରତ’ ବିଷୟକୁ କେନ୍ଦ୍ର କରି ଆୟୋଜିତ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଭାଗରୁ ପ୍ରତିଷ୍ଠିତ ଶିକ୍ଷାବିତ୍ ଓ ସାହିତ୍ୟିକମାନେ ଯୋଗ ଦେଇଥିଲେ।
ଏହି ସମ୍ମିଳନୀକୁ ଜମ୍ମୁ ଓ କାଶ୍ମୀରର ଲେଫ୍ଟେନାଣ୍ଟ ଗଭର୍ନର ଶ୍ରୀ ମନୋଜ ସିହ୍ନା ଉଦ୍‌ଘାଟନ କରିଥିଲେ ଓ ‘ଶିକ୍ଷା ସଂସ୍କୃତି ଉତଥାନ ନ୍ୟାସ’ର ଜାତୀୟ ସଚିବ ଶ୍ରୀ ଅତୁଲ ଭାଇ କୋଠାରୀ ପ୍ରମୁଖ ବ୍ୟାଖ୍ୟାନ ଉପସ୍ଥାପନ କରିଥିଲେ।

ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥିମାନଙ୍କ ମଧ୍ୟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଚତୁର୍ବେଦୀ ଓ କାଶୀ ବିଦ୍ୟାପୀଠର କୁଳପତି ପ୍ରଫେସର ଆନନ୍ଦ କୁମାର ତ୍ୟାଗୀ ଉପସ୍ଥିତ ଥିଲେ। ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ‘ହିନ୍ଦୁସ୍ଥାନ ସମାଚାର’ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ବାଲଚନ୍ଦ୍ର ମଣ୍ଡେକର।

ସମ୍ମିଳନୀରେ ସମ୍ବିଧାନ ସ୍ୱୀକୃତ ୨୨ଟି ଭାରତୀୟ ଭାଷାରୁ ପ୍ରତିଷ୍ଠିତ ସାହିତ୍ୟିକମାନେ ସମ୍ମାନିତ ହୋଇଥିଲେ ଓ ଏହା ଦେଶର ଭାଷା-ବିବିଧତାର ଏକ ସୁଦୃଶ୍ୟ ପରିଚାୟକ ଭାବେ ଗୃହୁତ ହୋଇଛି।

ଏହି ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ନିଜର ଅଭିନନ୍ଦନ ଜଣାଇ, ଏହି ସଫଳତାକୁ ବିଶ୍ୱବିଦ୍ୟାଳୟ ପରିବାର ପାଇଁ ଗୌରବର କ୍ଷଣ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ , “ଏହା ଓଡ଼ିଆ ସାହିତ୍ୟ ପାଇଁ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ପାଇଁ ଜାତୀୟ ମାନ୍ୟତା ପ୍ରାପ୍ତିର ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଭାବେ ପରିଗଣିତ ହୋଇ ରହିବ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.