ପୁଣି ହାତୀ ଆତଙ୍କ: ୨ ପରିବାରର ଘର ଭାଙ୍ଗିଲେ, ଆସବାବପତ୍ର ଓ ଖାଦ୍ୟ ଶସ୍ୟ ନଷ୍ଟ କଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ଜଙ୍ଗଲୀ ହାତୀଙ୍କ ଆତଙ୍କ ବୃଦ୍ଧି ପାଉଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲୀ ହାତୀ ଭୟରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ସନ୍ଧ୍ୟା ହେଲେ ହାତୀ ପଲ ଜଙ୍ଗଲରେ ନରହି ଗାଁ ମୁହାଁ ହୋଇ ଚାଷବାସ ନଷ୍ଟ କରିବା ସହିତ ଗରିବ ନିରିହ ଲୋକଙ୍କ ଘର ସବୁ ଭାଙ୍ଗି ଦେଉଛନ୍ତି। ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ମୃତ୍ୟୁ ମୁଖରେ ପଡୁଛି ତ ଆଉ କେତେବେଳେ ମଣିଷର ମୁଣ୍ଡ ଟଲି ପଡୁଛି। ଏଭଳି ଆଉ ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ରେଞ୍ଜ ଅଧିନସ୍ଥ ମୂଷାନାଳ ସେକ୍ସନ ଅନ୍ତର୍ଗତ ଦୋଲମ୍ବା ଗାଁରେ। ୨୭ ଟିକିଆ ହାତୀପଲ ଏହି ଗାଁର ସୀତାରାମ ସୁନା ଓ ବିଶି କେଶନ ସୁନାଙ୍କ ଘରଦ୍ଵାର ଭାଙ୍ଗିବା ସହ ଆସବାବପତ୍ର ଓ ଖାଦ୍ୟ ଶସ୍ୟ ନଷ୍ଟ କରିଦେଇଛନ୍ତି। ସୂଚନାଯୋଗ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ୨୭ ଟିକିଆ ଜଙ୍ଗଲୀ ହାତୀପଲ ଦୋଲମ୍ବା ଗାଁକୁ ଆସି ଗାଁର ସୀତାରାମ ସୁନା ଓ ବିଶି କେସନ ସୁନାଙ୍କ ଘର ସାମ୍ନାରେ ଗର୍ଜନ ମାରିଥିଲେ। ଫଳରେ ସୀତାରାମ ଓ ବିଶିକେଶନ ନିଜ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଧରି ପୋଡ଼ସୀ ଘରକୁ ଚାଲି ଯାଇଥିଲେ। ସକାଳୁ ଆସି ଦେଖିବ ପରେ ଏପଟେ ହାତୀପଲ ଦୁଇ ପରିବାରର ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେବା ସହ ଘରେ ଥିବା ଆସବାବପତ୍ର ଭାଙ୍ଗି ବାହାରେ ଫୋପାଡ଼ି ଖାଦ୍ୟ,ଶସ୍ୟ ଖାଇ ଦେଇ ନଷ୍ଟ କରିଥିଲେ। ସକାଳୁ ଖବର ପାଇ ଘଟଣାସ୍ଥଳରେ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଆସି ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି। ଏନେଇ ଫରେଷ୍ଟର ଶ୍ରୀ ମାଝୀଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି, ନିୟମ ଅନୁସାରେ ସେମାନେ କ୍ଷତିପୂରଣ ପାଇବେ ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.