ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମହିଳା ସୁପ୍ରିତି ଦାସଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ସ୍ବାମୀ ପ୍ରଭାସ କୁମାର ଦାସ (୩୫)ଙ୍କୁ ବୁଧବାର କୋକସରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଲଡୁଗାଁ ଗ୍ରାମର ସୁରଞ୍ଜନ ଦାସଙ୍କ ଦ୍ବିତୀୟ ଝିଅ ସୁପ୍ରିତି ଦାସ ଓ ଜ୍ବାଇଁ ନୁଆପଡା ଜିଲ୍ଲା ସିଙ୍ଗଝର ଗ୍ରାମର ପ୍ରଭାସ କୁମାର ଦାସ ଲଡୁଗାଁଠାରେ ଏକ ଭଡ଼ା ଘରେ ରହିଆସୁଥିଲେ। ତେବେ ମଙ୍ଗଳବାର ଦିନ ଘର ଭିତରେ ସୁପ୍ରିତିର ଝୁଲନ୍ତା ମୃତଦେହ ଦେଖି ପ୍ରଭାସ ଉଦ୍ଧାର କରି ଶ୍ବଶୁର ଘର ଲୋକଙ୍କୁ ଖବର ଦେଇଥିଲା। ଏହା ପରେ ଝିଅର ପରିବାର ଲୋକେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ପରେ କୋକସରା ଥାନା ପୁଲିସ ପ୍ରଭାସ କୁ ଥାନାରେ କଟକ ରଖି ପଚରାଉଚରା ଜାରି ରଖିଥିଲା। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ବିଭିନ୍ନ ଦିଗକୁ ତଦନ୍ତ କରିବା ପରେ ଆଜି ସ୍ବାମୀ ପ୍ରଭାସ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ତଦନ୍ତକାରୀ ଅଫିସର ଡି. ମୋହନ ସୂଚନା ଦେଇଛନ୍ତି।





