ପରିବେଷିତ ହେଲା ନାଟକ ‘ଭାଷା ବିକାଶ ଇତିହାସ’
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାଧାରଣତଃ ଗୋଟିଏ ଅନୁଷ୍ଠାନର ଇତିହାସକୁ ପ୍ରବନ୍ଧ ମାଧ୍ୟମରେ ପ୍ରକାଶ କରାଯାଇପାରେ। ମାତ୍ର ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ (ଓବିବିଏ) ତରଫରୁ ‘ଭାଷାବିକାଶ ଇତିହାସ’ ଏକ ଐତିହାସିକ ନାଟକ ସ୍ରଷ୍ଟା ପ୍ରେକ୍ଷାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି। ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ କଥୋପକଥନ ମାଧ୍ୟମରେ ହାସ୍ୟରସାତ୍ମକ ଏହି ନାଟକ ରଚିତ ହୋଇ ଅନୁଷ୍ଠାନର ଇତିହାସକୁ ପ୍ରାଞ୍ଜଳ ଭାବରେ ପ୍ରତିଫଳିତ କରିଥିଲା।
ନିର୍ଦ୍ଦେଶକ ଗୌରୀଶଙ୍କର ସାହାଣୀଙ୍କ ନିର୍ଦ୍ଦେଶନାରେ ପଣ୍ଡିତ ସଂଜୟ କୁମାର ପଣ୍ଡା, ପ୍ରଭାକର ସାହୁ, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ, ଜୁମରନାଥ ପାତ୍ର, ପ୍ରଫୁଲ୍ଲ କୁମାର ଦାସ ଓ ଶ୍ୟାମରାୟ କର ସୁନ୍ଦର ଅଭିନୟ କରି ଦର୍ଶକମାନଙ୍କର ମନକୁ ମୁଗ୍ଧ କରିପାରିଥିଲେ। ନାଟକ ମଧ୍ୟରେ ସ୍ଥାନ ପାଇଥିବା ତିନିଗୋଟି ସଙ୍ଗୀତରେ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶନାରେ ବାସନ୍ତୀ ଦେ, ସ୍ନିଗ୍ଧା ସାମନ୍ତରାୟ, ସୁନାମଣି ଜେନା, ଶାନ୍ତି ବିଶି, ଅର୍ଚ୍ଚନା କର, ପୁଷ୍ପଲତା ଚକ୍ରବର୍ତ୍ତୀ, ସଙ୍ଗୀତା ବାରିକ ପ୍ରମୁଖ ନୃତ୍ୟଶିଳ୍ପୀମାନେ ନୃତ୍ୟାଭିନୟ କରିଥିଲେ। ତୃପ୍ତିରାଣୀ ପାତ୍ର ମଧ୍ୟ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ।
ଏହି ଅବସରରେ ନିର୍ଦ୍ଦେଶକ ଗୌରୀଶଙ୍କର ସାହାଣୀଙ୍କୁ ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ସମ୍ବର୍ଦ୍ଧିତ କରି ତାଙ୍କର ଅମୂଲ୍ୟ ସହଯୋଗ କାମନା କରିଥିଲେ। ନାଟକଟିକୁ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ନାଟ୍ୟାୟନ କରିଥିବା ବେଳେ ଦୀପକ ବୋଷ ଭାଷା ସଙ୍ଗୀତ ରଚନା କରିଥିଲେ। ନାଟକର ପରବର୍ତ୍ତୀ କାର୍ଯ୍ୟକ୍ରମରେ ‘ଭାଷାବିକାଶ ବସନ୍ତ ସଂଖ୍ୟା: ୨୦୨୬’ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଡାକ୍ତର ନନ୍ଦ ପତ୍ରିକାର ବିଷୟବସ୍ତୁ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ। ନାଟ୍ୟକାର ଶ୍ରୀଯୁକ୍ତ ମହାପାତ୍ର ପରିବେଷିତ ହୋଇଥିବା ନାଟକର ବିଷୟବସ୍ତୁରେ ଥିବା ନୂତନତା ଓ ଚମତ୍କାରିତାରେ ଅଭିଭୂତ ହୋଇଯାଇଛନ୍ତି ବୋଲି ପ୍ରକାଶ କରିଥିଲେ। ଉପସଭାପତି ନିରଂଜନ ରାଉତ ନାଟକଟି ଖୁବ୍ ଉପଭୋଗ୍ୟ ବୋଲି ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଅନ୍ୟତମ ଅତିଥି ଗୌରୀଶଙ୍କର ସାହାଣୀ ଭାଷା ବିକାଶ ଆନ୍ଦୋଳନର ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଅନେକ ପ୍ରଭାବିତ ହୋଇପାରିବେ ବୋଲି ମତ ଦେଇଥିଲେ।
ଏହି ପତ୍ରିକାରେ ୧୦୯ଜଣଙ୍କର ‘ଉଡ଼ିବାକୁ ଡେଣା ପ୍ରସାରିଲି ଯେ ଆକାଶ କାହିଁ’ ଶୀର୍ଷକ କବିତା ଓ ଡାକ୍ତର ନନ୍ଦଙ୍କର ବ୍ୟାସକବି ଓ ବିଶ୍ୱକବି ଶୀର୍ଷକ ପ୍ରବନ୍ଧ ସ୍ଥାନିତ ହୋଇଛି। ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚାସୀନ କରାଇଥିବା ବେଳେ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରି ଦର୍ଶକମାନଙ୍କର ସହଯୋଗ କାମନା କରିଥିଲେ। ଏଥିରେ ଡ. ଭାଗବତ ପ୍ରସାଦ ଦାସ, ଅରୁଣା ରାୟ, ପ୍ରଫେସର ରଶ୍ମିରେଖା ପତି, ଅଞ୍ଜଳି ପଣ୍ଡା, ଊର୍ମିଳା ନାୟକ, ଡ. ପ୍ରଶାନ୍ତ କୁମାର ମହାନ୍ତି, ଡ. କ୍ଷିତୀଶ୍ୱର ଦାଶ, ଡ. ସାରଙ୍ଗଧର ତ୍ରିପାଠୀ, ତପନ ରାୟ, ପ୍ରଦୀପ କୁମାର ମିଶ୍ର, ପଦ୍ମଲୋଚନ ପ୍ରଧାନ, ଜ୍ୟୋତ୍ସ୍ନା ରାୟ, ସୁବ୍ରତା ମହାନ୍ତି ପ୍ରମୁଖ ବହୁ ସାହିତ୍ୟିକ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ।





