ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ପୂର୍ବତନ ପରିଷଦର ଅଧ୍ୟକ୍ଷା ତଥା ଲାଞ୍ଜିଗଡ଼ ପୂର୍ବତନ ବ୍ଲକ ଅଧ୍ୟକ୍ଷା, ଜନପ୍ରିୟ ନେତ୍ରୀ ଶ୍ରୀମତୀ ମାଝୀଙ୍କ ଅକାଳ ବିୟୋଗରେ ରବିବାର ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପ୍ରଧାନୀଙ୍କ ସଭାପତିରେ ବିଶ୍ୱନାଥପୁର ସ୍ଥିତ ପୂର୍ତ୍ତବିଭାଗ ବଙ୍ଗଳା ପରିସରେ ଅନୁଷ୍ଠିତ ଶୋକସଭାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗୌଡ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ରାଜୀବ ଗାନ୍ଧୀ ସଂଗଠନର ବ୍ଲକ ସଭାପତି ମୁଲୁ ମାଝୀ, ବ୍ଲକ କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ଜଗନ୍ନାଥପୁର ସମିତି ସଭ୍ୟ ପ୍ରଦୀପ କୁମାର ମାଝୀ, ବିଶ୍ୱନାଥପୁର ପଞ୍ଚାୟତ ସଭାପତି ନରେନ୍ଦ୍ର ପ୍ରଧାନୀ, ବ୍ଲକ କୃଷି ସେଲ୍ ସଭାପତି ବିଶ୍ୱନାଥ ଘଡେଇ, କଂଗ୍ରେସ ନେତା ଫକିର ବିଶି, ମକରନ୍ଦ ନିଆଲ, ଗଣେଶ ବେହେରା, ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଏକ, ଭୀମସେନ ନାଏକ, ବ୍ଲକ ଉପସଭାପତି ନିର୍ମଳ ନାଏକଙ୍କ ସମେତ ୨୬ଟି ପଞ୍ଚାୟତର ସଭାପତି ଓ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଯୋଗଦେଇ ଶୋକସଭାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ସ୍ୱର୍ଗତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ସ୍ବର୍ଗତା ଶ୍ରୀମତୀ ମାଝୀ ଥିଲେ ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ଏବଂ ଜନସେବୀ ନେତ୍ରୀ। ତିନି ଦଶନ୍ଧି ଧରି ସେ ଲାଞ୍ଜିଗଡ଼ ଓ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗ କଳାହାଣ୍ଡି ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି।





