ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଜଣେ ଯୁବତୀଙ୍କୁ ଟଣାଓଟରା କରିବା ସହ ଲୁଟପାଟ୍ କରାଯାଇଥିବା ଅଭିଯୋଗକୁ ନେଇ କୋରାପୁଟରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ସମୟରେ ଯୁବତୀଙ୍କ ସହ ଏଭଳି ଘଟଣା ଘଟିଥିବା ନେଇ କୋରାପୁଟ ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି। ସୂଚନା ଅନୁସାରେ, କୋରାପୁଟ–ଜୟପୁର ଜାତୀୟ ରାଜପଥର ବଗେଇପଦର ନିକଟସ୍ଥ ଝାଉ ଜଙ୍ଗଲ ଅଞ୍ଚଳରେ ଗତକାଲି ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଉକ୍ତ ଅଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ କିଛି ଯୁବକ ସେଠାରେ ପହଞ୍ଚି ଅସଦାଚରଣ କରିବା ସହ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଘଟଣାସ୍ଥଳରେ ୪ ଜଣ ଯୁବକ ଉପସ୍ଥିତ ଥିଲେ ଏବଂ ସେମାନେ ଯୁବତୀଙ୍କ ଠାରୁ ଲୁଟପାଟ୍ କରିଥିବା ଅଭିଯୋଗ ରହିଛି। ଘଟଣା ପରେ ଯୁବତୀ ଜଣକ କୋରାପୁଟ ସଦର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଅଭିଯୁକ୍ତମାନଙ୍କ ପରିଚୟ ଓ ଘଟଣାର ପ୍ରକୃତ କାରଣ ନେଇ ପୁଲିସ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।





