ବାଲେଶ୍ୱରରେ ଅଭୟାରଣ୍ୟ ଓ ଜାତୀୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନ ଉପରେ ଗୁରୁତ୍ୱ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଉପକୂଳର ବିରଳ ସାମୁଦ୍ରିକ ଜୀବ ନୀଳରକ୍ତ କଙ୍କଡ଼ା (Horseshoe Crab)ର ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପାଞ୍ଚ ଦଫା ଦାବି ଉପସ୍ଥାପନ କରାଯାଇଛି। ‘ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ, ବାଲେଶ୍ୱର’ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାଲେଶ୍ୱର ଗସ୍ତ ଅବସରରେ ନୀଳଗିରି ସର୍କିଟ ହାଉସ ପରିସରରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।
ବାଲେଶ୍ୱର ଉପକୂଳକୁ ନୀଳରକ୍ତ କଙ୍କଡ଼ା ସଂରକ୍ଷଣ ଓ ସାମୁଦ୍ରିକ ଜୈବ ବିବିଧତା ଗବେଷଣାର ଜାତୀୟସ୍ତରୀୟ କେନ୍ଦ୍ର ଭାବେ ଗଢ଼ିତୋଳିବା ଏହି ଦାବିର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରାଚୀନ ସାମୁଦ୍ରିକ ଜୀବର ନୀଳ ରକ୍ତରେ ଥିବା ବିଶେଷ ଜୈବିକ ଉପାଦାନ ଔଷଧର ନିରାପତ୍ତା ପରୀକ୍ଷଣ ଓ ଜୈବଚିକିତ୍ସା ବିଜ୍ଞାନରେ ବିଶେଷ ଗୁରୁତ୍ୱ ବହନ କରେ। ଏଥିସହ ସାମୁଦ୍ରିକ ପରିବେଶର ସନ୍ତୁଳନ ଓ ଖାଦ୍ୟଶୃଙ୍ଖଳା ରକ୍ଷାରେ ମଧ୍ୟ ଏହାର ଭୂମିକା ରହିଛି।
ମଞ୍ଚ ପକ୍ଷରୁ ଉପସ୍ଥାପିତ ପାଞ୍ଚ ଦଫା ଦାବି ମଧ୍ୟରେ ବାଲେଶ୍ୱର ଉପକୂଳରେ ନୀଳରକ୍ତ କଙ୍କଡ଼ାର ପ୍ରାକୃତିକ ଆବାସ ଓ ପ୍ରଜନନ କ୍ଷେତ୍ରକୁ ବୈଜ୍ଞାନିକ ସର୍ବେକ୍ଷଣ ମାଧ୍ୟମରେ ଚିହ୍ନଟ କରି ସ୍ୱତନ୍ତ୍ର ଅଭୟାରଣ୍ୟ ଘୋଷଣା, ଓଡ଼ିଶାର ବିଦ୍ୟାଳୟ ପାଠ୍ୟକ୍ରମରେ ଏହାର ଜୈବିକ ଓ ବୈଜ୍ଞାନିକ ଗୁରୁତ୍ୱ ସହ ସଂରକ୍ଷଣ ସମ୍ପର୍କିତ ବିଷୟ ସାମିଲ, ଏହାକୁ ରାଜ୍ୟର ‘ଜୀବନ୍ତ ପ୍ରାକୃତିକ ଐତିହ୍ୟ’ ଭାବେ ମାନ୍ୟତା ପ୍ରଦାନ ଏବଂ ବାଲେଶ୍ୱରଠାରେ ଜାତୀୟ ନୀଳରକ୍ତ କଙ୍କଡ଼ା ଗବେଷଣା ଓ ସଂରକ୍ଷଣ ପ୍ରତିଷ୍ଠାନ ସ୍ଥାପନ ଅନ୍ତର୍ଭୁକ୍ତ ରହିଛି।
ପ୍ରସ୍ତାବିତ ଜାତୀୟ ପ୍ରତିଷ୍ଠାନ ଅଧୀନରେ ଅତ୍ୟାଧୁନିକ ଗବେଷଣା ପ୍ରୟୋଗଶାଳା, ବୈଜ୍ଞାନିକ ପ୍ରଜନନ ଓ ପୁନଃଆବାସ କେନ୍ଦ୍ର, ଜୈବଚିକିତ୍ସା ଗବେଷଣା କେନ୍ଦ୍ର ଏବଂ ପ୍ରଶିକ୍ଷଣ ଓ ଜନସଚେତନତା କେନ୍ଦ୍ର ସ୍ଥାପନ ପାଇଁ ଦାବି କରାଯାଇଛି। ଏଥିସହ ଏହି ଜୀବର ସୁରକ୍ଷା ଓ ଗବେଷଣା ନିମନ୍ତେ ରାଜ୍ୟ ବଜେଟ୍ରେ ସ୍ୱତନ୍ତ୍ର ଅର୍ଥ ବରାଦ ଏବଂ ବିଶେଷଜ୍ଞ ବୈଜ୍ଞାନିକ, ପରିବେଶବିତ୍, ସରକାରୀ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିଙ୍କୁ ନେଇ ରାଜ୍ୟସ୍ତରୀୟ କାର୍ଯ୍ୟକାରୀ କମିଟି ଗଠନ ପାଇଁ ମଧ୍ୟ ଦାବି ରଖାଯାଇଛି।
ମଞ୍ଚର ମତ ଅନୁଯାୟୀ, ବାଲେଶ୍ୱରରେ ଏଭଳି ଏକ ଜାତୀୟସ୍ତରୀୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନ ହେଲେ ନୀଳରକ୍ତ କଙ୍କଡ଼ାର ସଂରକ୍ଷଣ ସହ ସାମୁଦ୍ରିକ ଜୈବ ବିବିଧତା ଗବେଷଣାକୁ ନୂତନ ଦିଗ ମିଳିବ। ଏହାଦ୍ୱାରା ଉଚ୍ଚଶିକ୍ଷା, ବୈଜ୍ଞାନିକ ଗବେଷଣା, ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଓ ଜ୍ଞାନଭିତ୍ତିକ ଅର୍ଥନୀତିର ବିକାଶ ପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ।
ଏହି ଅବସରରେ ମଞ୍ଚର ମୁଖ୍ୟ ଉପଦେଷ୍ଟା ଡ. ସିଦ୍ଧାର୍ଥ ପତି, ସଭାପତି ଶିଳ୍ପୀ କେଶୁ ଦାସ ଓ ସମ୍ପାଦକ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ସମେତ କବି ସୁଧାକର ସେଠୀ, ଡ. ସନାତନ ଟୁଡୁ, ଅବନୀ ଜେନା ଓ ଦେବାଶିଷ ପତି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଉପହାର, ଉପଢ଼ୌକନ ଓ ପୁଷ୍ପବୃକ୍ଷ ପ୍ରଦାନ ସହ ଦାବିପତ୍ର ହସ୍ତାନ୍ତର କରିଥିଲେ। ଏଥିସହ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୭୨ତମ ଜନ୍ମଦିନ ଅବସରରେ ମଞ୍ଚ ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିଲା।
ଦାବିପତ୍ର ପ୍ରଦାନ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
“ନୀଳରକ୍ତ କଙ୍କଡ଼ାର ସୁରକ୍ଷା ହେଉ, ସାମୁଦ୍ରିକ ଜୈବ ବିବିଧତା ସମୃଦ୍ଧ ହେଉ ଏବଂ ବାଲେଶ୍ୱରର ପ୍ରାକୃତିକ ଐତିହ୍ୟ ଜାତୀୟ ଓ ବିଶ୍ୱସ୍ତରରେ ନୂତନ ପରିଚୟ ଲାଭ କରୁ” ବୋଲି ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି।





