ଲାଞ୍ଜିଗଡ଼,୮/୧ : ପ୍ରବଳ ଉତ୍ସାହ ଉଦ୍ଦିପନା ଓ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମଧୁପୁର ଠାରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୦ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଧୁପୁର ଧରଣୀପିଠରୁ ମଶାଲ ଶୋଭାଯାତ୍ରା ଉତ୍ସବ ସ୍ଥଳକୁ ଆସିବା ପରେ ସରପଞ୍ଚ ସୁରେନ୍ଦ୍ର ମାଝୀ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ମୁଖ୍ୟବକ୍ତା ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସମିତିସଦସ୍ୟ ଚିତ୍ରସେନ ମାଝୀ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟରେ କଳାହାଣ୍ଡି ଉତ୍ସବର ମହାନ ଉଦ୍ଦେଶ୍ୟ ତଥା ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ ବ୍ଲକ ତଥା ଜିଲ୍ଲାସ୍ତରରେ ବହୁବାର ପୁରସ୍କୃତ ହୋଇଥିବା ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଆଜି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଆୟୋଜନରେ ଯେଭଳି ଉତ୍କର୍ଷତା ପ୍ରଦର୍ଶନ କରିଛି ଏହାକୁ ସମସ୍ତେ ଉଦାହରଣ ଭାବେ ଗ୍ରହଣ କରିବା ଉଚିତ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ଉତ୍ସବରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଗୋବର୍ଦ୍ଧନପୁର ସିଆରସି ତପନ କୁମାର ଭୋଇଙ୍କ ନେତୃତ୍ୱରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ । ଏହା ପରେପରେ ସୁଶୀଲ କୁମାର ବାଗ ଓ ଗୋପାଳଦାସ ମହାନନ୍ଦଙ୍କ ପରିଚାଳନାରେ ରାଜ୍ୟସ୍ତରୀୟ କଳାକାରମାନଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ, ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ଗାୟକମାନଙ୍କ ଦ୍ୱାରା ଗୀତ ଓ ସଙ୍ଗୀତ ତଥା ଲୋକଗୀତ ପରିବେଷଣ, ବିଶିଷ୍ଟ ମଞ୍ଚ ଓ ଟିଭି କଳାକାରଙ୍କ ହାସ୍ୟ ଅଭିନୟ ଆଜି ଦିନ ତମାମ ହଜାରହଜାର ଦର୍ଶକଙ୍କୁ ବିଳମ୍ବିତ ରାତିଯାଏଁ ବାନ୍ଧି ରଖିଥିଲା ।
ବିଶିଷ୍ଟ ହାସ୍ୟ ଓ ମିମିକ୍ରି କଳାକାର କୈଳାସଚନ୍ଦ୍ର ସାହୁ ତାଙ୍କର ଅନନ୍ୟ କଳା ପ୍ରଦର୍ଶନ ଦ୍ୱାରା ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିବାବେଳେ ତାଙ୍କ ସହିତ ତାଳଦେଇ ଯୁବ ହାସ୍ୟ କଳାକାର ଓମ୍ ପ୍ରକାଶ ମାଝୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ ହାସ୍ୟ ଅଭିନେତା ଶ୍ରୀ ସାହୁ, ଶ୍ରୀ ମାଝୀଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତର ସମସ୍ତ କର୍ମକର୍ତ୍ତା, ବିଜୁ ଯୁବ ବାହିନୀର ସଭାପତି ତୀର୍ଥ ଗହୀର, ହୃଷିକେଶ ବଗର୍ତ୍ତି, ଅମିତ ପଧାନ, ଜଳଧର ସାଗର, ଅର୍ଜୁନ ସାହୁଙ୍କ ସମେତ ବରିଷ୍ଠ ଶିକ୍ଷକ ଦୁଃଶାସନ ଦାସ, ନରେନ୍ଦ୍ର ପଟ୍ଟନାୟକ, ଚିନ୍ତାମଣି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ ଓ ଏମ୍ବିକେ ପ୍ରମିତା ମାଝୀ, ନୀଳେନ୍ଦ୍ରି ସାଗର, ସିଆର୍ପି ଅନୀତା ପଧାନ, ପଙ୍କଜିନୀ କରୁଆଁ, ପ୍ରମିଳା ମାଝୀ, ସରୋଜିନୀ ସାହୁଙ୍କ ସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଯୁବକ ସଂଘର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।
ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଓ ଗୋବର୍ଦ୍ଧନପୁର କ୍ଲଷ୍ଟର ପକ୍ଷରୁ ଷ୍ଟଲମାନ ଖୋଲାଯାଇଥିଲା । ଏହି ଉତ୍ସବ ଦେଖିବାକୁ ସ୍ଥାନୀୟ ଅଞ୍ଚଳରୁ ପ୍ରବଳ ଜନସମାଗମ ପରିଳକ୍ଷିତ ହୋଇଥିଲା ।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in