ସୁବର୍ଣ୍ଣପୁର : କରୋନା ସଂକ୍ରମଣ ପାଇଁ ଲକ୍ ଡ଼ାଉନ ଘୋଷଣା ପରେ ରାଜ୍ୟରେ ବସ ସେବା ବନ୍ଦ ହୋଇଯାଇଥିଲା । ମାତ୍ର ସରକାର ଯାତ୍ରୀବାହୀ ବସ ଚଳାଚଳ ପାଇଁ ଅନୁମତି ଦେବା ପରେ ମଧ୍ୟ ସ୍ୱାଭାବିକ ହୋଇପାରୁନି ବସ ଚଳାଚଳ । ସୋମବାର ସୁଦ୍ଧା ସୋନପୁର ରୁ ଜିଲ୍ଲା କୌଣସି ଅଞ୍ଚଳକୁ ବସ ସେବା ଆରମ୍ଭ ହୋଇପାରି ନାହିଁ । ରାଜ୍ୟ ସରକାରଙ୍କର ବସ ଚଳାଚଳ ପାଇଁ ଅନୁମତି ଦେବା ପରେ ବୁଧବାର ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ ପରିବହନ ବିଭାଗର ଗୁରୁତ୍ୱୂର୍ଣ୍ଣ ବୈଠକ ହୋଇଥିଲା । ବୈଠକ ପରେ ଗୁରୁବାରଠାରୁ ରାଜ୍ୟରେ ଘରୋଇ ବସ ଚଳାଚଳ ପାଇଁ ସ୍ଥିର ହୋଇ ଥିଲା । ତେବେ ଏ ଭିତରେ ୭ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଜିଲାରେ ବସ ସେବାରେ ସ୍ୱାଭାବିକ ପରିସ୍ଥିତି ଆସିପାରି ନାହିଁ । କେବଳ ଘରୋଇ ବସ ନୁହେଁ ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ଥିବା ସରକାରୀ ବସ ମଧ୍ୟ ଚଳାଚଳ ଆରମ୍ଭ ହୋଇପାରି ନାହିଁ । ବସ ଚଳାଇବା ପାଇଁ ସୋନପୁର ଜିଲା ବସ ମାଲିକ ସଂଘ ପକ୍ଷରୁ ସମ୍ମତି ପ୍ରଦାନ କରି ବସଷ୍ଟାଣ୍ଡରେ ବସ ଛିଡ଼ା କରୁଥିଲେ ମଧ୍ୟ ବସରେ ଯାତ୍ରୀ ହେଉ ନଥିବା କାରଣରୁ ବସ ଚଳାଚଳ ଆରମ୍ଭ ହୋଇପାରି ନଥିବା ଶଣାଯାଏ । ମାତ୍ର ଲକ୍ ଡ଼ାଉନ ପାଇର୍ ସରକାରୀ କଟକଣା ଓ ସଂକ୍ରମଣ ଭୟରେ ବସରେ ଯାତାୟାତ କରିବା ପାଇଁ ଯାତ୍ରୀ ହେଉ ନାହାନ୍ତି । ଗାଡି ବସ୍ଷ୍ଟାଣ୍ଡରେ ଯାତ୍ରୀ ଅପେକ୍ଷାରେ ଛିଡ଼ା ହୋଇଥିଲେ ମଧ୍ୟ ଜଣେ ହେଲେ ଯାତ୍ରୀ ବସରେ ଚଢ଼ି ନଥିଲେ । ଏଠି ପ୍ରଶ୍ନ ଉଠେ ଯାତ୍ରୀ ନହେଲେ ବସ ମାଲିକ ମାନେ ବସ ଚଳାଇବେ କିପରି । ତେବେ ସରକାରୀ ଘୋଷଣା କେବଳ ଘୋଷଣା ଭିତରେ ସୀମିତ ରହିଯାଇଛି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି ।