ନୂଆପଡ଼ା,୨୪/୧: ସ୍ଥାନୀୟ ଜଳଛାୟା ପ୍ରକଳ୍ପ ବିଭାଗ ଡାକବଙ୍ଗଳା ଠାରେ ଉଠା ଜଳସେଚନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ପାଳିତ ହୋଇଛି । ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବିନୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଡା. ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜଳଛାୟା ପ୍ରକଳ୍ପର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ପାତ୍ର, ଜଳସେଚନ ବିଭାଗ ଡେପୁଟି ନିର୍ବାହୀ ଯନ୍ତ୍ରୀ ତୃପ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଉଠା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ଚେରୁ ମେହେର ମଞ୍ଚ ପରିଚାଳନା କରିଥିଲେ ।
ଏବେ ଭୁତଳ ଜଳ କମିବାରେ ଲାଗିଛି । କମ ପାଣି ବ୍ୟବହାର କରି କେମିତି ଅଧିକ ଫସଲ ଉପାର୍ଜନ କରିବ ତାହା ପାଣି ପଞ୍ଚାୟତର କର୍ତ୍ତବ୍ୟ । ପାଣିର ସୁଷମ ବଣ୍ଟନରେ ବହୁ ଚାଷୀ ଉପକୃତ ହୋଇ ପାରିବେ । ଧାନ ଫସଲ ବଦଳରେ ଅଣଧାନ ଜାତୀୟ ଫସଲ ଚାଷ କଲେ କମ୍ ପାଣିରେ ଅଧିକ ଜମିରେ ଚାଷ ହେବା ସହ ଜମିର ଉର୍ବରତା ବଢିବ ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଡା. ଟୁଡୁ ଚାଷୀଙ୍କୁ ଉଦବୋଧନ ଦେଇଥିଲେ ।
ପାଣିର ସୁବଣ୍ଟନ ଉପରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନେସନାଲ ହାଇସ୍କୁଲର ଦୀପକ ରଣା ପ୍ରଥମ, ସାନ ମହେଶ୍ୱର ହାଇସ୍କୁଲର ମଧୁରୀ ଦୀପ ଦ୍ୱିତୀୟ ଓ ନେସନାଲ ହାଇସ୍କୁଲର ଆଦ୍ୟାଶା ପ୍ରିୟଦର୍ଶିନୀ ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଅର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ । ଜେଇ ପ୍ରତାପ କୁମାର ନାଏକ, ପ୍ରଫୁଲ୍ଲ ଦାସ, ବରିଷ୍ଠ କିରାଣୀ ରବୀନ୍ଦ୍ର ସାହୁ ସମେତ ବିଭାଗର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ୍ odiabarta.in