ଏସୟୁଜେ ରାୟଗଡ ଜିଲ୍ଳା ଶାଖାର ବନ୍ଧୁମିଳନ ଓ ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

ରାୟଗଡ଼, (ଶିବ ନାରାୟଣ ଗୈାଡ): ରାଜ୍ୟ ସାମ୍ବାଦିକ ୟୁନିଅନ୍ (ଏସୟୁଜେ)ଓଡିଶା,ରାୟଗଡ ଜିଲ୍ଳା ଶାଖାର ପ୍ରଥମ ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଭାକୁରଗୁଡା ଉଦ୍ୟାନକୃଷି ଫାର୍ମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ସଂଘ ସଭାପତି ଶିବ ନାରାୟଣ ଗଉଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାୟଗଡ ଜିଲ୍ଳା ଶାଖା ସଂଘର ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା’, ଏସୟୁଜେ ଓଡିଶା ରାଜ୍ୟ ସଂଘ ଉପସଭାପତି ତଥା ରାୟଗଡ ଜିଲ୍ଳା ଶାଖା ସଂଘର ଉପଦେଷ୍ଠା କୀର୍ତିଚନ୍ଦ୍ର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ, ଜିଲ୍ଳା ଉପସଭାପତି ସହଦେବ ସାହୁ, ଜିଲ୍ଳା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଦିଲ୍ଳୀପ କୁମାର ପଟ୍ଟନାୟକ, ଜିଲ୍ଳା କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳେଇ, ସଂଗଠନ ସଂପାଦକ ଦୁର୍ଗାପ୍ରସାଦ ପାଢୀ ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ଜିଲ୍ଳାର ୧୧ଗୋଟି ବ୍ଳକରୁ ୯୦ଜଣ ସଦସ୍ୟ ଯୋଗଦାନ କରିଥିଲେ ।


ଜିଲ୍ଳା ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ ଗତ ୫ମାସ ମଧ୍ୟରେ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ବିବରଣୀ ପଠନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଳା କାର୍ଯ୍ୟକାରିଣୀ ବୈଠକରେ ସଂଘର ଆଗାମୀ ଦିନର କାର୍ଯ୍ୟକ୍ରମ ସହ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଆଲୋଚନା କରାଯାଇଥିଲା । ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଓ ସ୍ୱାସ୍ଥ୍ୟବୀମା ରାଶିକୁ ବୃଦ୍ଧି କରି ୫ଲକ୍ଷ ଟଙ୍କା କରିବା ଆଦି ବିଷୟଗୁଡିକରେ ଆଲୋଚନା କରାଯାଇଥିଲା । ସେହିପରି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଉତ୍କଳ ଆଲୁମିନା କମ୍ପାନୀ ଲୋକ ସଂପର୍କ ବିଭାଗ କର୍ତୁପକ୍ଷ ତନ୍ମୟ ମହାନ୍ତି,ଜେକେ କାଗଜ କଳ ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ,ହରିହର ଖମାରୀ,ମିଲନ କୁମାରଙ୍କ ସମେତ ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀର ଅତିରିକ୍ତ ଲୋକ ସଂପର୍କ ଅଧିକାରୀ ଅଜୟ କୁମାର ସିଂ ପ୍ରମୁଖ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଳାର ବିକାଶ ଦିଗରେ ସାମ୍ବାଦିକମାନଙ୍କ ଭୂମିକା ସହ ସେମାନଙ୍କ ନିର୍ଭିକତା ଓ ସୃଜନୀଶୀଳତାକୁ ବେଶ ପ୍ରଶଂସା କରିଥିଲେ ।


କାର୍ଯ୍ୟକ୍ରମ ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସାମ୍ବାଦିକ ୟୁନିଅନର ଉପସଭାପତି ତଥା ଏସୟୁଜେ, ଓଡିଶାର ପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ ହେତୁ ତାଙ୍କ ଅମର ଆତ୍ମାର ସଦ୍ଗ୍‌ତି ନିମେନ୍ତ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.