୧୧ କେଭି ବିଦ୍ୟୁତ ତାରରେ ଲାଗି ଯୁବକ ମୃତ ଘଟଣା, ୧୬ ଘଣ୍ଟା ପରେ ଗଛରୁ ଉଦ୍ଧାର ହେଲା ଶବ

ଲାଞ୍ଜିଗଡ: ଲାଞ୍ଜିଗଡ ଥାନା ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବେଦାନ୍ତ ମେଡ଼ିକାଲ ସମ୍ମୁଖରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ(୫୦)ଙ୍କ ମୃତ୍ୟୁ ହୋଇଥିଲା |ଏହି ଖବର ପାଇ ସାଙ୍ଗେ ସାଙ୍ଗେ ଲାଞ୍ଜିଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଛରୁ ଶବ ଉଲାଇବା ପାଇଁ ଚେଷ୍ଟା କରି ଥିଲେ ମଧ୍ୟ ମୃତକଙ୍କ ପରିବାର ଓ ଗ୍ରାମବାସୀ ବିଦ୍ୟୁତ ବିଭାଗର ଲଗାତାର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି କ୍ଷତି ପୂରଣ ଦାବି କରି ଗଛରୁ ଶବ ଉଧାର କରିବାକୁ ଦେଇନଥିଲେ। ଫଳରେ ୧୬ ଘଣ୍ଟା ପର୍ଯ୍ୟନ୍ତ ଗଛ ଉପରେ ଶବ ଝୁଲି ରହିଥିଲା।


ସୂଚନା ଅନୁଯାୟୀ ଚକ୍ର ବୁଧବାର ଅପରାହ୍ନରେ ନିଜ ସାଇକେଲରେ ଲାଞ୍ଜିଗଡ ଆସି ଘରକୁ ଫେରୁଥିଲେ। ସନ୍ଧ୍ୟା ୬ଟା ସମୟରେ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବେଦାନ୍ତ ମେଡ଼ିକାଲ ସମ୍ମୁଖରେ ଥିବା ଏକ ଡିମିରି ଗଛକୁ ଡାଳ କାଟିବାକୁ ଚଢ଼ିଥିଲେ। ଗଛ ଡାଳ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ହୋଇଥିଲା।
ଆସନ୍ତା ୧୫ ତାରିଖରେ ନିଜ ବଡଭାଇଙ୍କ ପୁଅର ବାହାଘର ଥିବାରୁ ସେ ଭୋଜି ପାଇଁ ଛେଳି କିଣି ଘରେ ରଖିଥିଲେ।

ଛେଳିକୁ ଡାଳ ଦେବା ପାଇଁ ଚକ୍ର ଗଛ ଚଢ଼ିଥାଇପାରନ୍ତି ବୋଲି ଲୋକେ ସନ୍ଦେହ କରୁଥିଲେ। ଖବର ପାଇ ଲାଞ୍ଜିଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ ଜାରି ରଖିଥିଲେ। ଅପରପକ୍ଷରେ ବିଦ୍ୟୁତ୍ ବିଭାଗର ଲଗାତାର ଅବହେଳା ଯୋଗୁଁ ଉଚ୍ଚଶକ୍ତି ସଂପନ୍ନ ଏଇ ତାର ଗଛ ମଧ୍ୟଦେଇ ଯାଇଥିବାବେଳେ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏହାକୁ ହଟାଯାଇନଥିଲା। ପୂର୍ବରୁ ଗତ ଏକ ମାସ ତଳେ ବଳଭଦ୍ର ପୁର ଗାଁର ପଦ୍ମନାଭ ଗଉଡ଼ଙ୍କୁ ମଧ୍ୟ ସେହି ଗଛରେ ବିଦ୍ୟୁତ ତାର ଲାଗି ଗୁରୁତର ଆହତ ହୋଇଥିବା ଗାଁ ଲୋକେ ପ୍ରକାଶ କରିଥିଲେ। ଏପରି ବାରମ୍ବାର ଛୋଟମୋଟ ଘଟଣା ଘଟୁଥିବାବେଳେ ବିଭାଗର ସେଇ ଅବହେଳା ଜଣଙ୍କ ଜୀବନ ନେଇଛି ବୋଲି ଲୋକେ ପ୍ରକାଶ କରି ମ୍ରୁତ ଚକ୍ରଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଥିଲେ।


ଗୁରୁବାର ସକାଳ ୯ ଘଣ୍ଟା ସମୟରେ ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ଲାଞ୍ଜିଗଡ ବ୍ଲକ ବିଦ୍ୟୁତ ବିଭାଗର ଯନ୍ତ୍ରୀ ସୌଦାଗର ମେହେର ଘଟଣା ସ୍ଥଳରେ ପହଞ୍ଚି ସରକାର ତରଫରୁ ଯାହା ମିଳିବା କଥା ୪ ଲକ୍ଷ ଦେବାପାଇଁ ବ୍ୟବସ୍ଥା କରିବା ସହିତ ପ୍ରଶାସନ ତରଫରୁ ରେଡ଼କ୍ରସ ପାଣ୍ଡିରୁ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଓ ବେଦାନ୍ତର ସହଯୋଗୀ କମ୍ପାନୀରେ ଚକ୍ର କାମ କରୁଥିବା ଯୋଗୁଁ ତାର ପିଏଫ ପଇସା ଓ ଇନ୍ସୁରେନ୍ସ ପଇସା ପାଇଁ ଲାଞ୍ଜିଗଡ ଥାନା ପକ୍ଷରୁ ସହଯୋଗ କରିବୁ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେବା ପରେ ଗଛରୁ ଚକ୍ରଙ୍କ ମୃତ ଦେହ ଉଧାର କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ଅଣାଯାଇ ଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଗଲା ବୋଲି ଲାଞ୍ଜିଗଡ ଥାନା ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କହିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.