ଜିଲ୍ଳା ପ୍ରଶାସନ ଓ ପୋଲିସ ପକ୍ଷରୁ ମାସ୍କ ଓ ହେଲମେଟ ଚେକିଂ ଜୋରଦାର

ସଚେତନତା ଅଭାବରୁ ଜୋରିମାନା କାଟୁଛନ୍ତି ଅମାନିଆ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଦେଶର ଅନେକ ରାଜ୍ୟରେ ସ୍ଥିତି ବିଗାଡିବାରେ ଲାଗୁଥିବା ବେଳେ ଓଡିଶାରେ ଏହାକୁ ଆଗୁଆ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଳାପାଳଙ୍କୁ କଡାକଡି ଭାବେ କୋଭିଡ-୧୯ ଗାଇଡଲାଇନକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମଧ୍ୟ ଜିଲ୍ଳାରେ କୋଭିଡ କଟକଣାକୁ ଗୁରୁତ୍ୱର ସହ ନେବାକୁ ଜିଲ୍ଳା ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଜାରି କରିଛନ୍ତି ।


ଗତ ୧୭ତାରିଖ ଠାରୁ ରାୟଗଡ ଜିଲ୍ଳାରେ ମାସ୍କ ଓ ହେଲମେଟ୍ ଚେକିଂ ଜୋର କରାଯାଇଥିବା ଦେଖିବାକୁ ମିଳିଛି । ସଚେତନତା ଅଭାବରୁ ଅମାନିଆମାନେ ଜୋରିମାନା କାଟୁଥିବା ବେଳେ ପ୍ରଶାସନକୁ ଲକ୍ଷାଧିକ ଟଙ୍କାର ଜୋରିମାନା ରାଜସ୍ୱ ବାବଦକୁ ଆଦାୟ ହୋଇପାରୁଛି । ଆଜି ରାୟଗଡ ସହରର ଷ୍ଟେସନ ଛକ,ଡିଆଇବି ଛକ,ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଛକ ସମେତ ଅନ୍ୟ ସ୍ଥାନଗୁଡିକରେ ଏହି ଚେକିଂ କରାଯାଇଥିଲା ।


ସକାଳ ୬ଟାରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ସ୍ଥାନୀୟ ଷ୍ଟେସନ ଛକ ଠାରେ ବାଇକରେ ଯାଉଥିବା ସମୟରେ ମାସ୍କ ନ ପିନ୍ଧିଥିବା ଓ ହେଲମେଟ୍ ବ୍ୟବହାର କରି ନ ଥିବା ନିୟମ ଖିଲାପକାରୀଙ୍କୁ ଅଟକାଯାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ସଚେତନତା ସୃ୍‌ଷ୍ଟି କରାଯାଇଥିଲା । ଏହି ସମୟରେ ଅନେକ ବାଲି ବୋଝେଇ ଟ୍ରାକ୍ଟରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଥିଲା ।

ସେହିପରି ଷ୍ଟେସନ ଛକ ଠାରେ ସକାଳରୁ ହିଁ ପୋଲିସ ଯାଂଚ ଚାଲିଥିବା ଦେଖି ଅନେକ ଅମାନିଆ ବାଇକ ଚାଳକମାନେ ପୁଣି ପଛକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା । ତେବେ କୋଭିଡ କଟକଣାକୁ ମାନି ଚଳିବା ସହ ଟ୍ରାଫିକ ନିୟମକୁ ମଧ୍ୟ ମାନି ଚଳିବା ଦ୍ୱାରା ନିଜେ ନିଜକୁ ଓ ଅନ୍ୟମାନଙ୍କୁ ଆମେ ବଂଚାଇପାରିବା ତେଣୁ ସମସ୍ତେ କୋଭିଡ ଓ ଟ୍ରାଫିକ୍ ନିୟମ ମାନି ଚଳନ୍ତୁ ବୋଲି ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.