‘ରାଜ୍ୟରେ ପାଗ ଥଣ୍ଡା ରହିବ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ତାତି ବଢ଼ିବ ନାହିଁ’

ପାଣିପାଗ କେନ୍ଦ୍ରର ସୂଚନା: ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ସମ୍ଭାବନା, ପବନର ବେଗ ଘଣ୍ଟା ପ୍ରତି ୪୦ କିମି ରହିବ

ଭୁବନେଶ୍ବର: ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଯେ, ୧୨ ତାରିଖ ଦିନ ରାଜ୍ୟର ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୪୦ କିମି ରହିବ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ, ୧୨ ଓ ୧୪ ତାରିଖ ଦିନ ବି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୪୦ କିମି ରହିବ ବୋଲି ଆକଳନ କରାଯାଇଛି। ୧୨ ତାରିଖ ଦିନ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମ‌ାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା‌ ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିଯୋଗୁଁ ରାଜ୍ୟରେ ପାଗ ଥଣ୍ଡା ରହିବ ଓ ଆସନ୍ତା ୪ଦିନ ପର୍ଯ୍ୟନ୍ତ ତାତି ବଢ଼ିବ ନାହିଁ। ଶନିବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାଗ ମେଘୁଆ ରହିଥିଲା। ଆଜି ମଧ୍ୟ ତାପମାତ୍ରା ୩୬ଡିଗ୍ରି ପାଖାପାଖି ରହିବ ଓ ପାଗ ଆଂଶିକ ମେଘୁଆ ରହିବ ବୋଲି ଆକଳନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.