କଳାହାଣ୍ଡି,୧୯|୮ (ଲିଙ୍ଗରାଜ ମିଶ୍ର): ନବୀନ ପଟ୍ଟନାୟକ ସରକାରଙ୍କୁ ଚାଷୀପ୍ରୀୟ ସରକାର ବୋଲି କୁହାଯାଉଛି । ଦୀର୍ଘ ୨୦ ବର୍ଷ ଧରି ନୀରବଛିନ୍ନ ଭାବରେ ରାଜ୍ୟର ଶାସନ ଭାର ଗ୍ରହଣ କରି ସେ କିମ୍ବଦନ୍ତୀ ସ୍ଥାପନ କରିଛନ୍ତି । ତାଙ୍କ ଶାସନ କାଳ ସମୟରେ ବିଭିନ୍ନ କୃଷି ଜାତ ଦ୍ରବ୍ୟ ଉତ୍ପାଦନରେ ଦୁଇ ଦୁଇ ଥର କୃଷି କର୍ମଣ ପୁରସ୍କାର ମଧ୍ୟ ପାଇ ସାରିଲେଣି । ଦିନକୁ ଦିନ ଉନ୍ନତ ମାନର କୃଷି ଯନ୍ତ୍ରପାତି ରାଜ୍ୟର ଚାଷୀଙ୍କୁ ରିହାତି ଦରରେ ଯୋଗାଇ କୃଷକ କଲ୍ୟାଣ ଦିଗରେ ମନୋନିବେଶ କରି କୃଷି କ୍ଷେତ୍ରରେ ରାଜ୍ୟକୁ ଶିଖର ସ୍ତାନରେ ପହଞ୍ଚାଇ ପାରିଥିବା ଚାରିଆଡେ ଚର୍ଚ୍ଚା ଓ ଆଲୋଚନା ହେଉଛି । କୃଷିର ଉନ୍ନତି ଓ କୃଷକଙ୍କ ହିତ ସାଧନ ନିମନ୍ତେ କୃଷି କଲ୍ୟାଣକାରୀ ଯୋଜନା ଗୁଡିକ ମଧ୍ୟ ସବୁ ସମୟରେ ପ୍ରଣୟନ କରି ରେକର୍ଡ କରିଛନ୍ତି ନବୀନ ସରକାର । ଭୋକର ଭୂଗୋଳ କୁହାଯାଉଥିବା କଲାହାଣ୍ଡି ନବୀନ ସରକାରଙ୍କ ପ୍ରୟାସ ଯୋଗୁଁ ଆଜି କୃଷି କ୍ଷେତ୍ରରେ ରାଜ୍ୟ କାହିଁକି ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ହେଲେ କେଇ ଜଣ ଦାଇତ୍ୱ ହୀନ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବିଭିନ୍ନ ସମୟରେ କୃଷି ଭିତ୍ତିକ ଯୋଜନା ଗୁଡିକରେ ସାମିଲ ହୋଇ ଚାଷୀ ହଇରାଣ ହରକତ ହେଉଥିବା ଭଳି ଅଭିଯୋଗ ମାନ ସାମନାକୁ ଆସୁଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଘଣ୍ଟମାଳ ଗ୍ରାମରେ । ରାଜ୍ୟ ସରକାରଙ୍କର କୃଷି କଲ୍ୟାଣକାରୀ ଯୋଜନା ମଧ୍ୟରେ ଚାଷୀ ତା’ର ନିଜ ଜମିରେ ଜୈବ ବିଘଟନ ଯୁକ୍ତ ଆବର୍ଜନା କୁଣ୍ଡ ନିର୍ମାଣ କରିବା ପାଇଁ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗଇ ଦେଲେ । ସାରା ଜିଲ୍ଲାରେ ହଜାର ସଂଖ୍ୟାରେ ଏହି ଯୋଜନାରେ ଲୋକେ ଆବର୍ଜନା କୁଣ୍ଡ ନିଜ ଖର୍ଚ୍ଚରେ ନିର୍ମାଣ କଲେ । ବିଭାଗରୁ ବିଲ ଟଙ୍କା ପାଇଲେ । ଏହି କ୍ରମରେ ଘଣ୍ଟମାଳ ଗ୍ରାମର ବ୍ରଜମୋହନ ପଧାନ ଘଣ୍ଟମାଳ ଗ୍ରାମର ଶେଷମୁଣ୍ଡ ନିଜ ଜମି ଭବାନୀପାଟଣା ଯାଉଥିବା ରାଜ୍ୟରାଜପଥର ଅନତିଦୂରରେ ୨୦୧୯ ମସିହାରେ ୩୮,୪୦୩ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ପରିମଳ ଓ ସ୍ୱଚ୍ଛତା ( ଆରଡବ୍ଲୁଏସ୍ଏସ୍) ବିଭାଗ ଅଧିନରେ ନିର୍ମାଣ କଲେ ଜୈବ ବିଘଟନ ଆବର୍ଜନା କୁଣ୍ଡ । ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ମାନଙ୍କ ନିର୍ଦ୍ଦେଶ ମୁତାବକ ଓ ତଦାରଖରେ ଏହା ନିର୍ମିତ ହେଲା । ଯୋଜନା ମୁତାବକ ଶ୍ରୀ ପଧାନ ଆବର୍ଜନା କୁଣ୍ଡ ନିର୍ମାଣ କଲେ । ଆଜକୁ ଦୁଇ ବର୍ଷ ଉପରେ ହୋଇଗଲା ହେଲେ ସେଥିର ବିଲ ଟଙ୍କା ପାଇ ପାରି ନାହାନ୍ତି । ସେହି ୨୦୧୯ରେ ସମସ୍ତ ଆବର୍ଜନା କୁଣ୍ଡ ନିର୍ମାଣ କରିଥିବା କୃଷକଙ୍କୁ ବିଲ ଟଙ୍କା ମିଳି ସାରିଥିବା ବେଳେ ଘଣ୍ଟମାଳର ବ୍ରଜ ପଧାନ, ମୁସ୍କୁଟିର ହରି ମହାନନ୍ଦ, ଉଲିକୁପାର ନବୀନ ସାହୁ ଓ ନିଶାଣପୁରର ଚାଷୀ ଙ୍କୁ ଏଯାଏଁ ମିଳିନି ବିଲ ବାବଦକୁ ଗୋଟାଏ ବି ଟଙ୍କା । ଇତି ମଧ୍ୟରେ ଏହି ଯୋଜନାଟି ପଞ୍ଚାୟତରାଜ ବିଭାଗଅଧିନକୁ ଚାଲିଯାଇଛି । ଏବେ କେବଳ ଏତିକିରେ କଥା ସରିନି । ଆବଜର୍ନା କୁଣ୍ଡ ର ବିଲ ଟଙ୍କା ପାଇବା ପାଇଁ ଘଣ୍ଟମାଳର ହିତାଧିକାରୀ ଶ୍ରୀ ପଧାନ ବାରମ୍ବାର ନର୍ଲା ବ୍ଲକ୍ଳକୁ ଧାଇଁବା ପରେ ନର୍ଲା ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ନିର୍ମାଣ ସ୍ଥଳକୁ ଆସି ଆବର୍ଜନା କୁଣ୍ଡ ପରିଦର୍ଶନ କରି କିଛି ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଲେ । ଯାହା ଫଳରେ ପୁଣି ୭,୦୦୦ ଟଙ୍କା ମରାମତିରେ ଲାଗିଥିବା ପ୍ରକାଶ କରିଛନ୍ତି ହିତାଧିକାରୀ ଶ୍ରୀ ପଧାନ । ହେଲେ ନର୍ଲା ବ୍ଲକ୍ ସହକାରୀ ଯନ୍ତ୍ରୀ ମହୋଦୟ ମଧ୍ୟ ଅତିରିକ୍ତ କାମ କରେଇ ନେଲେ ସିନା ବିଲ ଟଙ୍କା ପଇଠ କଥା ମଧ୍ୟ ବୁଝିଲେ ନାହିଁ । ବର୍ତ୍ତମାନ ଦୁଇବର୍ଷରୁ ଉଦ୍ଧ୍ୱ ସମୟ ହୋଇ ସାରିଥିବା ବେଳେ ଭବାନୀପାଟଣା ଡିଆରଡିଏ ଅଫିସକୁ ଧାଇଁ ଧାଇଁ ଉପଭୋକ୍ତା ଶ୍ରୀ ପଧାନଙ୍କ ଚପଲ ସରିଗଲାଣି ହେଲେ ଆବର୍ଜନା କୁଣ୍ଡ ବାବଦରେ ଖର୍ଚ୍ଚ ହୋଇଥିବା ବିଲ ଟଙ୍କା ସେ ପାଇ ପାରୁ ନାହାନ୍ତି । କୃଷକଙ୍କ ସରକାର କୁହା ଯାଉଥିବା ନବୀନ ବାବୁଙ୍କ ଅଧିକାରୀ ମାନେ ଜଣେ ଯୁବ ଚାଷୀଙ୍କୁ ବାରମ୍ବାର ହଇରାଣ କରୁଥିବାରୁ ଯୁବ ଚାଷୀ ଶ୍ରୀ ପଧାନ ନିରାଶ ହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି । ବିବାଗୀୟ ଯନ୍ତ୍ରୀ ଓ ନର୍ଲା ବ୍ଲକ୍ ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣା ଏମାନଙ୍କ ନିର୍ଦ୍ଦେଶ ମୁତାବକ ସବୁ ଠିକ ଠାକ୍ ନିର୍ମାଣ କରିଥିଲେ ମଧ୍ୟ ଆବର୍ଜନା କୁଣ୍ଡର ବିଲ ଟଙ୍କା ସେ ପାଇ ପାରୁନାହାନ୍ତି କାହିଁକି? ଏଥିପାଇଁ ଦାୟୀ କିଏ? ପିଡି ମହୋଦୟ ଦୟାକରି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।