କୋକସରା,୧୯|୮ (ହିରଣ୍ୟ ବେହେରା): ଦାରିଦ୍ର୍ୟ ସୀମାରେଖା ତଳେ ଥିବା ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ଖାଉଟି ସାମଗ୍ରୀ ଯୋଗଇ ଆସୁଛନ୍ତି ସରକାର। ନୂତନ ନିୟମ ଅନୁସାରେ ରେସନ କାର୍ଡ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଛି। ତେବେ ଯୋଗାଣ ସହାୟକ ମାନଙ୍କ ଉଦାସୀନତା ଯୋଗୁଁ ଶତାଧିକ ହିତାଧିକାରୀଙ୍କ ରେସନ କାର୍ଡରେ ଆଧାର ସଂଯୋଗ ହୋଇ ପାରିନାହିଁ। ଫଳରେ ମାସ ମାସ ଧରି ଖାଉଟି ସାମଗ୍ରୀ ପାଇବାରୁ ହିତାଧିକାରୀମାନେ ବଞ୍ଚିତ ହୋଇଛନ୍ତି। କୋକସରା ବ୍ଲକର ୨୨ ପଞ୍ଚାୟତରୁ ୨୪୪୧ ଜଣ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇ ନଥିବା ଓ ନୂତନ ସଦସ୍ୟ ଭାବେ ସଂଯୋଗ ପରେ ମଧ୍ୟ ଖାଉଟି ସାମଗ୍ରୀ ପାଉ ନଥିବା ବ୍ଲକ ଯୋଗାଣ ନିରିକ୍ଷକଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ବ୍ଲକର ଆମପାଣି ପଞ୍ଚାୟତରେ ୧୧୨ ଜଣ, ବଡପୋଡାଗୁଡା ପଞ୍ଚାୟତରୁ ୮୯ ଜଣ, ବରାଡଙ୍ଗାରୁ ୧୫୬, ଡହଗାଁରୁ ୧୭୮, ଡାଲଗୁମାର ୧୬୧, ଡୁଡୁକାଠେଙ୍ଗା ୮୧, ଗମ୍ଭାରୀଗୁଡା ୧୪୬, ଗୋତମୁଣ୍ଡା ୨୦୩, କାଶୀବାହାଲ ୧୩୪, କାଉଡୋଲା ୩୩, ଖୁଣ୍ଟିଆ ୧୫୪, କୋକସରା ୨୧, ଲଡୁଗାଁ ୨୬୪, ମହିମା ୧୩୩, ମାଝିଗୁଡା ୧୨, ମୋଟେର ୩୭, ମୁଷାପାଲି ୧୪୨, ଫୁପଗାଁ ୧୨୯, ରେଙ୍ଗାଲପାଲି ୧୦୪ ଓ ଟେମରା ପଞ୍ଚାୟତରେ ୧୫୪ ଜଣ ହିତାଧିକାରୀ ଖାଉଟି ସାମଗ୍ରୀ ପାଇବପାରୁ ନାହାଁନ୍ତି। ତେବେ ଯୋଗାଣ କର୍ମଚାରୀଙ୍କ ଅବହେଲା କାରଣରୁ ଶତାଧିକ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇ ନଥିବା ଯୋଗୁଁ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। କରୋନ ମାହାମାରୀ ଯୋଗୁଁ ଲୋକଙ୍କ ଅର୍ଥୀକ ସ୍ଥିତି ଦୋହଲି ଯାଇଥିବାବେଳେ ସରକାର ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଇଥିବା ଚାଉଳ ମଧ୍ୟ ଏମାନେ ପାଇ ନଥିବା ଜଣାପଡିଛି। ତେବେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ହିତାଧିକାରୀମାନେ ଦୈଡୁଥିବାବେଳେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏନେଇ କୋକସରା ଦାୟିତ୍ଵରେ ଥିବା ଯୋଗାଣ ନିରୀକ୍ଷକ ମିଥୁନ ବେହେରାଙ୍କୁ ପଚାରିବାରୁ ଟାର୍ଗେଟ ଆସିଲେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି।