ରାକ୍ସି ପଞ୍ଚାୟତର କୃଷିକ୍ଷେତ୍ର ପରିଦର୍ଶନ କଲେ ରାଜସ୍ବ ଓ କୃଷି ବିଭାଗର ସ୍ବତନ୍ତ୍ର ଟିମ୍

କଳାହାଣ୍ଡି, ୬|୯ (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ପଞ୍ଚାୟତର କୃଷିକ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜସ୍ବ ବିଭାଗ, କୃଷି ବିଭାଗ ଓ ସେବା ସମବାୟ ସମିତିର ସ୍ବତନ୍ତ୍ର ଟିମ୍। ରବିବାର ଏହି ପଞ୍ଚାୟତର ବୁଢିପଦର, ରାକ୍ସି, ଗୋଖରା ଓ ଖାଇଚୁଆଁ ଗ୍ରାମକୁ ଯାଇ ଏହି ଟିମ୍ ଚାଷିମାନଙ୍କ ସହ ଚାଷ ବାଷ ବିଷୟରେ ଆଲୋଚନା କରିବାସହ କୃଷିକ୍ଷେତ୍ର ପରିଦର୍ଶନ କରିଥିଲେ। ଏଥିରେ ମୁଖ୍ୟତଃ ଧାନ ବିକ୍ରି ପାଇଁ ଅନଲାଇନ କରିଥିବା ଚାଷୀଙ୍କ ତାଲିକା, ଚାଷ ହୋଇଥିବା ଓ ହୋଇନଥିବା ଜମି, ବେର୍ଣ୍ଣା ଓ ମାଳ ଜମିରେ ହୋଇଥିବା ଫସଲର ବିସ୍ତୃତ ବିବରଣୀ ଆଦି ସମନ୍ଧରେ ତଥ୍ୟ ସଂଗ୍ରହ କରିଥିଲେ। ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ରାକ୍ସି ପଞ୍ଚାୟତର ଅଧିକାଂଶ ଜମିରେ ଚାଷ କାର୍ଯ୍ୟ ହୋଇପାରିନାହିଁ। ଯାହାବି ଚାଷ ହୋଇଛି ସେସବୁ ନଷ୍ଟ ହେବାକୁ ବସିଲାଣି। ଧାନ ବୁଣା ହୋଇଥିବା ଜମିରେ ବେଉଷଣ ହୋଇ ପାରିନାହିଁ। କାଁ ଭାଁ ତଳି ରୋପଣ ହୋଇଥିବା କ୍ଷେତ ପାଣି ବିନା ଫାଟି ଆଁ କଲାଣି। ଅନେକ କୃଷି କ୍ଷେତ୍ରରେ ଗାଈଗୋରୁ ଚରୁଛନ୍ତି। ଅଣ ଜଳସେଚିତ ଅଞ୍ଚଳ ହୋଇଥିବାରୁ ଏହି ପଞ୍ଚାୟତରେ ମରୁଡ଼ିର ପଦଧ୍ବନୀ ଶୁଭିଲାଣି। ଏହି ପରିଦର୍ଶନ ସମୟରେ ରୁପ୍ରାରୋଡ ରାଜସ୍ବ ନିରୀକ୍ଷକ ଧର୍ମେନ୍ଦ୍ର ନାଏକ, ରାକ୍ସି ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀ, ଗ୍ରାମ୍ୟ କୃଷି କର୍ମଚାରୀ ଚଞ୍ଚଳା ସାହୁ, ରୁପ୍ରାରୋଡ ପେକ୍ସର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମାନନ୍ଦ ସାହୁ, କୃଷକ ସାଥି ଯେମନ୍ତ ପୋଢ ଏବଂ ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.