ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ, ସ୍ଥାନାନ୍ତର ଦାବୀକୁ ଶୁଣୁନି ବିଭାଗ

● ସଂଧ୍ୟା ହେଲେ ସଡକ ଦୁର୍ଘଟଣା ଭୟରେ ଗ୍ରାମବାସୀ

● ବିଦ୍ୟୁତ୍ ବିଭାଗର ଖାମଖିଆଲି ଗୁଣ ଯୋଗୁଁ ଘଟିପାରେ ଦୁର୍ଘଟଣା

ରାୟଗଡା, (ଶିବ ନାରାୟଣ ଗୈାଡ): ରାସ୍ତା ମଝିରେ ବିଦ୍ୟୁତ ଖୁଂଟ । ସଂଧ୍ୟା ହେଲେ ଅନ୍ଧାରରେ ଉକ୍ତ ବିଦ୍ୟୁତ ଖୁଂଟ ସହ ଧକ୍କା ହୋଇ ଆହାତ ହେଉଛନ୍ତି ଉକ୍ତ ରାସ୍ତାରେ ଯାଉଥିବା ଲୋକେ । ତେବେ ଖୁଂଟକୁ ରାସ୍ତା କଡକୁ ସ୍ଥାନାନ୍ତର ପାଇଁ ଦାବି କଲେ ବି ଗ୍ରାମବାସୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହାନ୍ତି ବିଦ୍ୟୁତ୍ ବିଭାଗ ଅଧିକାରୀ । ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ ବଢୁଛି ଅସନ୍ତୋଷ । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ଗ୍ରାମ ପଂଚାୟତର କତଗଂଟା ଗ୍ରାମ ମୁଖ୍ୟ ରାସ୍ତାରେ । ପ୍ରକାଶ ଥାଉ କି, କତଗଂଟା ଗ୍ରାମକୁ ପୂର୍ବରୁ ରାସ୍ତା ନ ଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଖୁଂଟଗୁଡିକ ପୋତା ଯାଇଥିଲା । କିନ୍ତୁ ଯେଉଁ ସମୟରେ ବ୍ଳକ ପ୍ରଶାସନ ପକ୍ଷରୁ କତାଗଂଟା ଗ୍ରାମକୁ ରାସ୍ତା କାର୍ଯ୍ୟ ଆରମ୍ଭ ହେଲା ଉକ୍ତ ସମୟରେ ରାସ୍ତା ମଝିରେ ଏକ ବିଦ୍ୟୁତ ଖୁଂଟ ଆସୁଥିବାରୁ ବିଦ୍ୟୁତ ବିଭାଗ ଦ୍ୱାରା ପୋତା ଯାଇଥିବା ଖୁଂଟକୁ ରାସ୍ତା କଡକୁ ସ୍ଥାନାନ୍ତର ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ । କିନ୍ତୁ ପରିତାପର ବିଷୟ ରାସ୍ତା ନିର୍ମାଣ କରୁଥିବା ଠିକାଦାର ତଥା ଯନ୍ତ୍ରୀମାନେ ମଧ୍ୟ ରାସ୍ତାକୁ ନ ବଦଳାଇ ଥିବା ବେଳେ ବିଦ୍ୟୁତ ବିଭାଗ ଅଧିକାରୀମାନେ ମଧ୍ୟ ଖୁଂଟକୁ ଅନ୍ୟତ୍ର ସ୍ଥାନାନ୍ତର କରୁନାହାନ୍ତି ।


ଯାହାକୁ ନେଇ କତାଗଂଟା ଗ୍ରାମବାସୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗ୍ରାମର ରାମାରାଓ ତିଆକା, ସନ୍ତୋଷ କୈାଶଲ୍ୟା, ସିରିପତି ତିଆକା, ଲେଲି କୈାଶଲ୍ୟା, ଗଙ୍ଗାରାଓ ତିଆକା ପ୍ରମୁଖ ପ୍ରକାଶ କରିବା ସହ ଯଥାଶୀଘ୍ର ବିଭାଗ ପକ୍ଷରୁ ଉକ୍ତ ବିଦ୍ୟୁତ ଖୁଂଟକୁ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି । ତେବେ ଏ ନେଇ ଟିପିଏସଓଡିସିଏଲ ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ ଯଥାଶୀଘ୍ର ରାସ୍ତା ମଝିରୁ ଉକ୍ତ ବିଦ୍ୟୁତ ଖୁଂଟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.