କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ ଦ୍ବାରା ବନବାସୀ/ ଗିରିଜନମାନଙ୍କ ଉଦ୍ଦିଷ୍ଟ ଯୋଜନା ଏବେ ପଥହୁଡା ହୋଇଥିବାପରି ମନେହେଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଶହ ଶହ ବର୍ଷଧରି ପୁରୁଷାନୁକ୍ରମେ ବଣ ଜଙ୍ଗଲରେ ବସବାସ କରି ଆସୁଥିବା ପରିବାରବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ମିଳି ପାରିନାହିଁ। ତେଣୁ ସେମାନେ ଆଜିବି ନିଜ ହକର ଲଢେଇ ଜାରି ରଖିଛନ୍ତି। ଅନେକ ସଂଗ୍ରାମ ପରେ ମାତ୍ର ୩୬ ଜଣଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ମିଳିଲା ସତ କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ସେମାନେ ଆବାସ ଗୃହ ନିର୍ମାଣ କରିପାରୁ ନାହାନ୍ତି। ଏହି ଘଟଣାକୁ ନେଇ ଆଜି ପୁର୍ବାହ୍ନ ୧୦ ଘଣ୍ଟା ସମୟରେ ସିପିଆଇ(ଏମଏଲ୍) ଜାଗ୍ରତ ସମିତିର କଳାହାଣ୍ଡି ଜିଲ୍ଲା ସମ୍ପାଦକ କେଶବ ପଧାନ ଓ ବରିଷ୍ଠ ସଦସ୍ୟ ଦୟାସାଗର ନାଏକଙ୍କ ନେତୃତ୍ୱରେ ନର୍ଲା ବ୍ଲକ୍ ଘେରାଉ କରିଛନ୍ତି ବସବାସୀ।
ପ୍ରାପ୍ତ ସୂଚନା ଆଧାରରେ, ନର୍ଲା ବ୍ଲକ ଅଧିନସ୍ଥ ସେରଗଡ ଗ୍ରାମ ପଞ୍ଚାୟତର ସିନାପଦର, ବଡଧାରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଟୁଟୁଙ୍ଗଝୁଲା ପଦର ଓ ନର୍ଲା ଗ୍ରାମ ପଞ୍ଚାୟତର ମୁଣିଂ ପଦରରେ ଆଦିମ କାଳରୁ ଜଙ୍ଗଲ ଜମିରେ ବସବାସ କରିଆସୁଛନ୍ତି ୪୦ରୁ ଉର୍ଦ୍ଧ୍ୱ ପରିବାର। ଗୋଟିଏ ପଟେ ସରକାର ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଗିରି କନ୍ଦରବାସୀ ମାନେ ଜଙ୍ଗଲ ଜମି ପ୍ଲଟ ବାବଦକୁ ଜମି ପଟ୍ଟା ପାଇବେ ବୋଲି ଘୋଷଣା କରିଥିବା ବେଳେ ଦୀର୍ଘ ଦିନରୁ ଉପରୋକ୍ତ ପଦରବାସୀ ମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରୁଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ପଟ୍ଟା ମିଳି ପାରିନାହିଁ। ସରକାରଙ୍କ ଆବାସ ଯୋଜନାରେ ଉପରୋକ୍ତ ପଦରବାସୀ ମାନଙ୍କୁ ଏବେ ସାମିଲ କରାଯାଇ ଆବାସ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ଗତ ୧୦ ଫେବୃୟାରୀ ୨୦୨୧ ରୁ କାର୍ଯ୍ୟାଦେଶ ମିଳି ସାରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ମାନେ ଲେ-ଆଉଟ ଦେଉନଥିବାରୁ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଆବାସ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇ ୮ ମାସ ବିତି ଗଲାଣି କିନ୍ତୁ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଉ ନାହାନ୍ତି। ଯଦି ଶୀଘ୍ର ଆବାସ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ଲେ-ଆଉଟ ଦିଆ ନଯାଏ ତେବେ ହିତାଧିକାରୀମାନେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିବା ଜାଣାପଡିଛି। ଆଜିର ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ୩୬ ଜଣ ହିତାଧିକାରୀଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ୱ ପଦରବାସୀ ସାମିଲ ହୋଇଥିଲେ।