ଲାଞ୍ଜିଗଡ଼ରେ ବଢି ଚାଲିଛି ହାତୀ ଉପଦ୍ରବ, ପୁଣି ବ୍ୟାପକ ଫସଲ ନଷ୍ଟ କଲେ ଗଜ ବାହିନୀ

ଲାଞ୍ଜିଗଡ଼: ଦିନକୁ ଦିନ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଜଙ୍ଗଲି ହାତିପଲ ଜନ ବସତି ମୁହାଁ ହୋଇଥିବାବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ଅନେକ ସମୟରେ ହାତୀପଲ ଘରଦ୍ୱାର ଭଙ୍ଗାରୁଜା କରିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଶନିବାର ରାତିରେ ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ହରିହରପୁର ଗାଁ ନିକଟସ୍ଥ ସାପୁଲକୁଚା ଗାଁରେ ୧୫ଟି ଜଙ୍ଗଲି ହାତୀ ପଶି ଆସିବା ସହ ମକା, କପା, କାନ୍ଦୁଲ ଓ ଧାନ ଫସଲ ନଷ୍ଟ କରିଛନ୍ତି। ଗତ ସେପ୍ଟେମ୍ବର ୧୪ ତାରିଖରେ ଢେପଗୁଡା ବିଟ୍ ଅଞ୍ଚଳରେ ଗୋଟିଏ ମାଈ ହାତୀର ମୃତ୍ୟୁ ପରେ ହାତୀପଲ ୧୫ କିମି ବ୍ୟବଧାନରେ ଘୁରି ବୁଲୁଛନ୍ତି। ଅକ୍ଟୋବର ୪ ତାରିଖରେ କୁମଖାଲ ଗ୍ରାମ ପଞ୍ଚାୟତ ଡେଲାଙ୍ଗଭଟ୍ଟା ଗାଁର ଭଁଏରା ମାଝୀ ଓ ଟଙ୍କ ମାଝୀଙ୍କ ଘର ଭାଙ୍ଗିବା ସହ ଗୃହ ବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ କରିଥିଲେ ହାତୀପଲ। ଗୁରୁବାର ରାତିରେ ବନ୍ଧପାରୀ ପଞ୍ଚାୟତ ବୁରୀ ଜଙ୍ଗଲରୁ ହାତୀପଲ ବାହାରି କୁଟରୁଗୁଡା ଗାଁର ଉମରା ମାଝୀଙ୍କ ଘରକୁ ଭାଙ୍ଗିବା ସହ ଖାଦ୍ୟଶସ୍ୟ ଓ ଶୈାଚାଳୟକୁ ନଷ୍ଟ କରିଥିବା ବେଳେ ଶନିବାର ରାତିରେ ହାତୀଶାଳ ସଂଗ୍ରକ୍ଷିତ ଜଙ୍ଗଲରୁ ୧୫ଟି ହାତୀପଲ ଆସି ସାପୁଲକୁଚା ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲକୁ ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ହାତୀ ଜଗୁଆଳି ମାନେ ସାପୁଲକୁଚା ଗାଁକୁ ଆସି ହାତୀପଲକୁ ଘଉଡାଇଛନ୍ତି। ଗତ ୨୫ ଦିନ ହେଲା ଏହି ଅଞ୍ଚଳରେ ହାତୀପଲ ଅନେକ ଘରଦ୍ଵାର ଏବଂ ଚାଷବାସ ନଷ୍ଟ କରିଛନ୍ତି। ବିଶ୍ଵନାଥପୁର ବନପାଳ ସୁରେଶ ଚନ୍ଦ୍ର ରାଉତ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିବାସହ ହାତୀପଲକୁ ଘଉଡାଇବାକୁ ବନବିଭାଗ ଓ ହାତୀ ଜଗୁଆଳୀମାନେ ନଜର ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.