ଭୁବନେଶ୍ୱର: ଓଡ଼ିଆ ବିକାଶ ପରିଷଦ ଓ କଳିଙ୍ଗ ଭାରତୀ ଫାଉଣ୍ଡେସନ ତରଫରୁ ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ, ଚିନ୍ତନାୟକ, ସମାଜସେବୀ, ସମ୍ପାଦକ ତଥା ଜଣେ ଧୂରୀଣ ରାଜନୀତିଜ୍ଞ ସତ୍ୟାନନ୍ଦ ଚମ୍ପତିରାୟଙ୍କ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବର୍ଷିୟାନ ସମାଜସେବୀ ବଂଶୀଧର ନାୟକ ସଭାପତିତ୍ୱ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ସତ୍ୟବାଦୀ ବଳିଆରସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶକୁନ୍ତଳା ବଳିଆରସିଂହ ତାଙ୍କର ସାରସ୍ୱତ ଜୀବନ ସମ୍ପର୍କରେ ଏବଂ ପ୍ରଫେସର ପୃଥ୍ୱୀରାଜ କିଶୋର ଦେବୀଦତ୍ତ ପ୍ରତାପ ସିଂହ ତାଙ୍କର ରାଜନୈତିକ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଅଧ୍ୟାପକ ସତ୍ୟ ମୁଣ୍ଡଛିନା ତାଙ୍କର ଶତମାର୍ଗ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଇଞ୍ଜିନିୟର ଶିଶିର କୁମାର ନାୟକ, ଅଧ୍ୟାପକ ରୁଦ୍ରମାଧବ ବାରିକ, ଆଇନଜୀବୀ ବିଭୁଦତ୍ତ ଚଲାନ, ବାଣୀଦତ୍ତ ଚମ୍ପତିରାୟ, ପ୍ରଜ୍ଞାଶ୍ରୀ ଚମ୍ପତ୍ତିରାୟ, ଜଗତ କିଶୋର ସାମଲ, ମଙ୍ଗଳୁରାମ ମହନ୍ତ, ଅଧ୍ୟାପକ ମୋଚିରାମ ନାହାକ, ତନୁଶ୍ରୀ ପ୍ରମୁଖ ଅତିଥିଗଣ ରାଜ୍ୟ ଓ ରାଜ୍ୟ ବାହାରୁ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ଲିପ୍ସାମୟୀ ଦୁବେ କାର୍ଯ୍ୟକ୍ରମ ସଂଯୋଜନା ଏବଂ ଶ୍ରୀବତ୍ସ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।