କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦେବଗିରି ମଠ ବୁଢିପଦର ଠାରେ ଆଜି ଦିକ୍ଷାନ୍ତ ବୈଷ୍ଣବ ରିତି ନିତି ଅନୁକ୍ରମେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠରେ ଏନେଇ ଏକ ଭବ୍ୟ ଆୟୋଜନ କରାଯାଇଥିଲା। ମଠର ପୂର୍ବତନ ସେବାୟତ ଦୁର୍ବାଦଳ ଦାସଙ୍କ ମହାପ୍ରୟାଣ ପରେ ମଠର ମୁଖ୍ୟ ସେବାୟତ ପଦବୀ ଖାଲି ପଡିଥିଲା। ସ୍ବର୍ଗତ ଦୁର୍ବାଦଳ ଦାସଙ୍କ ଜ୍ୟୋଷ୍ଠ ପୁତ୍ର ତପିବର ଦାସ ଆଜି ବୈଷ୍ଣବ ଦିକ୍ଷାରେ ଦିକ୍ଷିତ ହେବାପରେ ମଠର ସେବାପୂଜା କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଭାବରେ ସ୍ବର୍ଗତ ଦାସଙ୍କ ଅନ୍ୟ ଚାରି ପୁତ୍ର ହରିହର ଦାସ, ବିଭିଷଣ ଦାସ, ରୋମାଞ୍ଚଳ ଦାସ ଓ ରାମଚନ୍ଦ୍ର ଦାସଙ୍କ ସମେତ ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଦମ୍ପତି ଗୁରୁ ଦିକ୍ଷା ଗ୍ରହଣ କରିଥିଲେ।
ମଠର ପ୍ରଥମ ମହନ୍ତ ସ୍ବର୍ଗତ ଦିନବନ୍ଧୁ ଦାସଙ୍କ ବଂଶଧର ଗୁଣଧର ଦାସ ମଠର ସେବାୟତ ତପିବର ଦାସଙ୍କୁ ବୈଷ୍ଣବ ଦିକ୍ଷା ଓ ଅନ୍ୟମାନଙ୍କୁ ଗୁରୁ ଦିକ୍ଷା ପ୍ରଦାନ କରିଥିବାବେଳେ ମଠର ପୂର୍ବତନ ମହାସଚିବ ସୁନୀଲ କୁମାର ଧଙ୍ଗଡାମାଝୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଦେବଗିରି ମଠ ପରିଚାଳନା କମିଟିର ରଜନୀ ଗଉଡ, ଭରତ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ବିଭିଷଣ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।