କେସିଙ୍ଗା, (ମଧୁସୂଦନ ଠାକୁର): କେସିଙ୍ଗା ସରକାରୀ ଚିକିତ୍ସାଳୟ ସମ୍ମୁଖ ଡ୍ରେନରେ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ କେସିଙ୍ଗା ବ୍ଲକ ସିରୁଲ ଗ୍ରାମପଞ୍ଚାୟତ ଅଧିନସ୍ଥ ପୋଡଖମ୍ବ ଗ୍ରାମର ପୁରୁଷୋତ୍ତମ ବାଗ (୩୨) ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଆଧାରରେ ପୁରୋଷୋତ୍ତମଙ୍କ ସ୍ତ୍ରୀଙ୍କ ପ୍ରସବ ବେଦନା ହେବାରୁ ୩ ଦିନ ତଳେ କେସିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବଭାବିକ ପ୍ରସବ ହୋଇ ଏକ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ ଗତ କାଲି ରାତି ୯ଟା ବେଳେ ପୁରୋଷତ୍ତମ ତାଙ୍କ ମାଆ ଓ ପିଉସୀ ପାଇଁ ଖାଇବା ଆଣିଦେଇ ହସ୍ପିଟାଲ ବାହାରରେ ବୁଲୁଥିଲେ କିନ୍ତୁ ସେ କେତେବେଳେ ଡ୍ରେନରେ ଖସି ପଡ଼ିଥିଲେ ତାହା ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ମଧ୍ୟ ଜାଣିପାରି ନ ଥିଲେ।
ପରେ ରାତି ୧୦ ବେଳେ ଖୋଜା ଖୋଜି କରିବାପରେ ଡ୍ରେନରେ ପୂରୋଷୋତ୍ତମ ବାଗ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ତାଙ୍କୁ ଡ୍ରେନରୁ କାଢି ଡକ୍ତରଙ୍କ ପାଖରୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିବାସହ ପୋଲିସକୁ ଖବର ଦେଇଥିଲେ। କେସିଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।