ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ରାୟଗଡ଼ା, (ଶିବ ନାରାୟଣ ଗୈାଡ): ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ। ସମାଜର ମୁଖ୍ୟ ସ୍ରୋତରେ ଦିବ୍ୟାଙ୍ଗମାନଙ୍କୁ ସାମିଲ କରିବାର ଲକ୍ଷ୍ୟ ନେଇ ଡିସେମ୍ବର ୩ ତାରିଖକୁ ବିଶ୍ବ ଭିନ୍ନକ୍ଷମ ଦିବସ ଭାବରେ ପାଳନ କରାଯାଏ। ଏହି କ୍ରମରେ କୋଲନରା ସ୍ଥିତ ନୂତନ ଜ୍ଞାନବର୍ଦ୍ଧିନୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜର୍ଜ ତଥା ଡିଏଲଏସଏ ଅଧ୍ୟକ୍ଷ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ମନୋରଞ୍ଜନ ମିଶ୍ର, ଜେଏମଏଫସି ଗୁରୁ ଚନ୍ଦ୍ର ଜେନାମଣି, ନ୍ୟାୟାଧିକାରୀ ଯୁଧିଷ୍ଠିର ଦଳେଇ, ବରିଷ୍ଠ ଆଇନଜୀବୀ ସାମୁଏଲ ତାଣ୍ଡି, ଜେକେ କାଗଜ କଳର ପ୍ରମୁଖ ପ୍ରବନ୍ଧକ ପ୍ରଫୁଲ୍ଲ କୁମାର ଧଳ, ପ୍ରୋଗ୍ରାମ ଅଫିସର କାମିନୀ ସିଂ, ଫିଜିଓଥେରାପିସ୍ଟ ଦାମୋଦର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।


ଜିଲ୍ଲା ଜର୍ଜ ଶ୍ରୀ ପଟ୍ଟନାୟକ ନିଜର ବକ୍ତବ୍ୟ ରେ ଆଜିର ଦିବସ ପାଳନ ଅବସରରେ ଭିନ୍ନକ୍ଷମ ମାନେ କିପରି ନିଜସ୍ୱ ଉଦ୍ୟମରେ ସମାଜର ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇପାରିଛନ୍ତି ସେ ସମ୍ପର୍କ ରେ ଆଲୋଚନା କରିଥିଲେ। ସଚିବ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଭିନ୍ନକ୍ଷମମାନେ ବ୍ୟକ୍ତିଗତ ତଥା ବୃତ୍ତିଗତ ସ୍ତରରେ କର୍ତ୍ତବ୍ୟନିଷ୍ଟ ହେଇ ଭାରତକୁ ଏକ ଉନ୍ନତ ଓ ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ନିଜର ଯୋଗଦାନ କରିବାକୁ ଅନୁରୋଧ କରିବା ସହ ପିଲା ମାନଙ୍କର ଶୃଙ୍ଖଳା ତଥା ବହୁମୁଖି ପ୍ରତିଭାକୁ ପ୍ରଶଂସା କରିଥିଲେ। ପ୍ରବନ୍ଧକ ଶ୍ରୀ ଧଳ ନିଜର ଅଭିଭାଷଣରେ ଆଜିର ଦିବସ ପାଳନର ଯଥାର୍ଥତା ସମ୍ପର୍କରେ କହିବା ସହିତ ଆଗାମୀ ଦିନରେ ବିଦ୍ୟାଳୟରେ ହେବାକୁ ଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପରିଶେଷରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କୁ କାମିନୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଅଧ୍ୟକ୍ଷ, କର୍ମଚାରୀ ବୃନ୍ଦ ତଥା ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.