ଦଣ୍ଡପାଟ ଅଞ୍ଚଳର ବେହେରା ଠାରେ ପୋଲିସ ଫାଣ୍ଡି ସ୍ଥାପନ ଦାବି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳର ବେହେରା ଠାରେ ଏକ ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଦାବି ଯୋର ଧରିଛି । ସମସ୍ତ ପ୍ରକାର ଭିତ୍ତିଭୂମି ଥିବା ଦୃଷ୍ଟିରୁ ବେହେରା ଠାରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା ହେବା ଜରୁରୀ ବୋଲି ସ୍ଥାନୀୟ ଜନସାଧାରଣ, ନିର୍ବାଚିତ ଜନ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏନେଇ ବିଗତଦିନରେ ଅଞ୍ଚଳବାସୀଙ୍କ ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବେହେରା ଠାରେ ପୋଲିସ ଫାଣ୍ଡି ହୋଇପାରିନାହିଁ । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ଦଣ୍ଡପାଟ ଅଞ୍ଚଳ ମଧ୍ୟରେ ୧୩ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ସମୁଦାୟ ଜନସଂଖ୍ୟା ୧ଲକ୍ଷ ହେବ । ଦଣ୍ଡପାଟ ଅଞ୍ଚଳର ମଧ୍ୟସ୍ଥଳୀରେ ରହିଛି ବେହେରା ଗ୍ରାମ। ବେହେରା ହେଉଛି ଜିଲ୍ଲାର ସବୁଠାରୁ ବଡ ଗ୍ରାମ ପଞ୍ଚାୟତ । ବିଜୁ ହାଇଓ୍ବେ ପାର୍ଶ୍ବରେ ରହିଥିବା ବେହେରା ଠାରେ ଏକ ମହାବିଦ୍ୟାଳୟ, ଅନେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ଇଲେକ୍ଟ୍ରିକାଲ ଷ୍ଟକଚର, ଡାକଘର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ରହିଛି । ବର୍ତ୍ତମାନ ଏଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ଖୋଲିବାକୁ ଯାଉଛି । ବେହେରା ଠାରେ ସପ୍ତାହକୁ ଦୁଇଟି ହାଟ ବସିଥାଏ । ବେହେରା ଗୋରୁହାଟ ଜିଲ୍ଲାର ଅନ୍ୟତମ ବୃହତ ହାଟ ଭାବରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥାଏ । ଏହି ହାଟ ଓ ବ୍ୟବସାୟୀକ ପେଣ୍ଠସ୍ଥଳୀ ବେହେରା ଉପରେ ଆଖପାଖ ଅଞ୍ଚଳ ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟବାସୀ ନିର୍ଭର କରିଥାନ୍ତି । ପଡୋଶୀ ଛତିଶଗଡ଼ ରାଜ୍ଯ ଓ ନବରଙ୍ଗପୁର ସୀମା ରେ ଥିବା ବେହେରା ଦେଇ ଅନ୍ତରାଜ୍ୟ ଓ ଅନ୍ତଃଜିଲ୍ଲା ଚୋରାବେପାରୀ ତଥା ଅପରାଧୀଙ୍କ ସୁରକ୍ଷିତ ଯାତାୟାତ ଲାଗି ରହିଥାଏ । ବେହେରାରେ ଫାଣ୍ଡି ପ୍ରତିଷ୍ଠା ପାଇଁ କିଛି ବର୍ଷ ତଳେ ଜିଲ୍ଲା ପୋଲିସ ଏକ ରିପୋର୍ଟ ଦେଇଥିବା ଶୁଣିବାକୁ ମିଳେ।ବେହେରା ଅଞ୍ଚଳ କୋକସରା ଥାନା ଅଧୀନରେ ରହିଛି । ବେହେରା ଠାରୁ କୋକସରାର ଦୂରତା ୧୫ କିମି, ଧର୍ମଗଡ ୨୦ କିମି ଏବଂ ଆମପାଣି ୨୫ କିମି ହୋଇଥାଏ । ଏସବୁ ଦୃଷ୍ଟିରୁ ବେହେରା ଠାରେ ଏକ ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଦୀର୍ଘ ବର୍ଷଧରି ସ୍ଥାନୀୟ ଜନସାଧାରଣ ଦାବି କରି ଆସୁଛନ୍ତି । ତେଣୁ ବେହେରା ଠାରେ ଏକ ପୋଲିସ ଫାଣ୍ଡି ସ୍ଥାପନ ହେଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.