● ବିଜେଡି ପ୍ରାର୍ଥୀ ମହେନ୍ଦ୍ର ରଣାଙ୍କ ଜୋରଦାର ପ୍ରଚାର
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନରୋତ୍ତମ ସେଲମା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତି ସରଗରମ ରହିଛି । ଏହାରି ଭିତରେ କର୍ଲାମୁଣ୍ଡାର ରାଜନୈତିକ ପାଣିପାଗ ମଧ୍ୟ ଉଷ୍ଣ ରହିଥିବା ଦେଖାଦେଇଛି । କର୍ଲାମୁଣ୍ଡା ବ୍ଲକ ଜୋନ୍-୧ ରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରି ନିଜ ନିଜ ପ୍ରାର୍ଥୀ ମାନଙ୍କୁ ନିର୍ବାଚନୀ ରଣାଙ୍ଗନକୁ ଛାଡିଛନ୍ତି । ଚଳିତ ନିର୍ବାଚନରେ କର୍ଲାମୁଣ୍ଡା ଜୋନ୍-୧ ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡି ମହେନ୍ଦ୍ର ରଣାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ନବୀନ କୁମାର ରଣା ଓ କଂଗ୍ରେସ ରିଙ୍କୁ ବାଗଙ୍କୁ ପ୍ରାର୍ଥୀ କରିଛି । ତେବେ ବର୍ତ୍ତମାନର ସମୟରେ ଏହି ଜୋନ୍ ରେ ପ୍ରବଳ ବିଜେଡି ହାଓ୍ବା ଅନୁଭୂତ ହେଉଛି । ବିଜେଡି ପ୍ରାର୍ଥୀ ମହେନ୍ଦ୍ର ରଣାଙ୍କ ପ୍ରଚାର ଅଭିଯାନରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ସହ ବିଜେଡିର ଅନେକ ବରିଷ୍ଠ ନେତୃବୃନ୍ଦ ସାମିଲ ହେଉଛନ୍ତି । ରାଜପୁର ସରପଞ୍ଚ ଭାବେ ଶ୍ରୀ ରଣା ଅଞ୍ଚଳର ପ୍ରଭୂତ ବିକାଶ କରାଇ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରାଇ ସେ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରିଥିଲେ, ଯାହା ଫଳରେ ବିଜେଡି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଏହାସହ ଉତ୍ତମ ଜନସଂପର୍କ ଓ ବିଜେଡି ସରକାରଙ୍କ ଲୋକପ୍ରିୟତା ଶ୍ରୀ ରଣାଙ୍କ ଲଢେଇରେ ସହାୟକ ହେବ । ଇତି ମଧ୍ୟରେ ଶ୍ରୀ ରଣା ଏହି ଜୋନ୍ ର କର୍ଲାମୁଣ୍ଡା, ରିଷିଡା, ତେରେସିଙ୍ଗା, ରାଜପୁର, ପୋରକେଲା ଓ ଗଜବାହାଲ ଗ୍ରାମ ପଞ୍ଚାୟତର ଗାଁକୁ ଗାଁ ଯାଇ ଭୋଟ ଭିକ୍ଷା କରିବାସହ ମତଦାତାମାନଙ୍କ ଆଶିର୍ବାଦ କାମନା କରିଛନ୍ତି । ଜନସାଧାରଣ ମଧ୍ୟ ବିଜେଡି ପ୍ରାର୍ଥୀ ମହେନ୍ଦ୍ର ରଣାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି । ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକର ଯୋଜନା ଦ୍ବାରା ଲୋକ ଉପକୃତ ହେଉଥିବାରୁ ଜନତା ବିଜେଡି ସରକାର ଉପରେ ସନ୍ତୁଷ୍ଟ ଅଛନ୍ତି । ଏଥିସହ କର୍ଲାମୁଣ୍ଡା ଜୋନ୍-୧ ରେ ବିଜେଡିର ସଠିକ୍ ପ୍ରାର୍ଥୀ ଚୟନ ଯୋଗୁଁ ଏଥର ବିଜେଡି ଏହି ଆସନ ଦଖଳ କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।