● ନର୍ଲା ଜୋନ୍-୨ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ଓ ଜୋନ୍-୩ ପ୍ରାର୍ଥୀନୀ ଲିଲି ଦୀପଙ୍କ ପାଇଁ ପ୍ରଚାର କଲେ ବିଧାୟକ ଭୁପିନ୍ଦର ସିଂ
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ମତଦାନ । ଏହାରି ଭିତରେ ନର୍ଲା ବ୍ଲକର ତିନୋଟି ଜୋନ୍ ର ରାଜନୈତିକ ପାଣିପାଗ ସରଗରମ ରହିଛି । ୨୦୧୭ ନିର୍ବାଚନରେ ବିଜେପି ହାତକୁ ନର୍ଲା ବ୍ଲକର ସମସ୍ତ ଜିଲ୍ଲା ପରିଷଦ ଆସନ ଯାଇଥିଲା । ଏହାକୁ ଛଡେଇ ଆଣିବାକୁ ବିଜେଡି ଫୁଲ୍ ଦମରେ ଲାଗିପଡିଛି । ଗଡରକ୍ଷା କରିବାକୁ ବିଜେପି ମଧ୍ୟ ରଣକୌଶଳ ଅବଳମ୍ବନ କରୁଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳକୁ ନେଇ ସାଧାରଣ ଜନତା ଏଥର ନିର୍ବାଚନରେ ମଧ୍ୟ ବିଜେଡି ଉପରେ ଆସ୍ଥା ପ୍ରକଟ କରୁଥିବା ଦେଖାଯାଇଛି । ବୁଧବାର ନର୍ଲା ବିଧାୟକ ଭୁପିନ୍ଦର ସିଂ ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥୀ ହରିଶଙ୍କର ମାଝୀ ଓ ଜୋନ୍-୩ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଲିଲି ଦୀପଙ୍କ ପାଇଁ ମାରାଥନ୍ ପ୍ରଚାର କରିଛନ୍ତି । ବିଧାୟକ ଏହି ଦୁଇ ଜୋନ୍ ର ଅନେକ ସ୍ଥାନରେ ପଥପ୍ରାନ୍ତ ପ୍ରଚାର କରିଥିଲେ । ଏହି ସମୟରେ ହିମାଂଶୁ ସାହୁ, ଚୈତନ୍ୟ ଗଉଡ, ଥବିର ପଧାନ, ଢୁଶା ଦୁର୍ଗା ପ୍ରମୁଖଙ୍କ ସହ ଅନେକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏପଟେ ଅନେକ ଦିନର ନିରବତା ପରେ ପୂର୍ବତନ ନର୍ଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟତା ବିଜେଡି କର୍ମୀ ମାନଙ୍କ ମଧ୍ୟରେ ନୂତନ ଉତ୍ସହ ଭରିଦେଇଛି । ୨୦ ବର୍ଷଧରି ନର୍ଲା ବିଧାୟକ ଥିବା ବଳଭଦ୍ର ମାଝୀ ଏହି ଅଞ୍ଚଳରେ ବିଜେଡି ସଂଗଠନକୁ ମଜଭୁତ କରିଥିଲେ । ଶ୍ରୀ ମାଝୀଙ୍କ ପ୍ରତି ନର୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଏବଂ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ଯଥେଷ୍ଟ ସମ୍ମାନ ରହିଛି । ବର୍ତ୍ତମାନ ଶ୍ରୀ ମାଝୀଙ୍କ ସକ୍ରିୟତା ହେତୁ ପୁଣିଥରେ ପୁରୁଣା ବିଜେଡି କର୍ମୀମାନେ ଏକଜୁଟ ହେଉଛନ୍ତି । ଯାହା ବିଜେଡିର ଲଢେଇକୁ ଉତ୍ତମ ଇନ୍ଧନ ଭରି ଦେଇଥିବା ବେଳେ ବିରୋଧୀ ଶିବିରରେ ଭାଳେଣି ପକାଇଛି । ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରୁ ଜୋନ୍-୨ ରେ ପ୍ରବଳ ବିଜେଡି ହାଓ୍ବା ରହିଥିଲା ଯାହା ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି । ତେବେ ଜୋନ୍-୩ ରେ ଯାହା କିଛିବି ସାମାନ୍ୟ ଅସୁବିଧା ଥିଲା ତାହା ବିଧାୟକ ଭୁପିନ୍ଦର ସିଂଙ୍କ ପ୍ରଚାର ଓ ବଳଭଦ୍ରଙ୍କ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟତା ପରେ ଦୂର ହୋଇଥିବା କୁହାଯାଉଛି । ବର୍ତ୍ତମାନ ଜୋନ୍-୩ ରେ ମଧ୍ୟ ବିଜେଡି ହାଓ୍ବା ବୋହୁଥିବା ସହ ମତଦାତାମାନେ ବିଜେଡି ପ୍ରାର୍ଥୀନୀ ଲିଲି ଦୀପଙ୍କୁ ବେଶ ପସନ୍ଦ କରୁଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ନର୍ଲା ଜୋନ୍-୧ ରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଅସହିଷ୍ଣୁ ହୋଇ ବିଜେଡି କର୍ମୀମାନଙ୍କୁ ଧମକ ଦେବା ଓ ପ୍ରଚାର ଗାଡିକୁ ବିଧା ଗୋଇଠା ମାରିଥିବା ନେଇ ପଲମ ଫାଣ୍ଡିରେ ଏତଲା ଦାଏର ହୋଇଛି । ଜୋନ୍-୧ରେ ବିଜେଡି କିମ୍ବା ଅନ୍ୟ ଦଳୀୟ କର୍ମୀ ପ୍ରଚାର ପାଇଁ ଆସିଲେ ଗାଡି ଭଙ୍ଗାରୁଜା ସହ କର୍ମୀଙ୍କୁ ହତ୍ୟା ଧମକ ଦିଆଯିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ନର୍ଲା-୧ ରେ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁ, ବିଜେଡି ତରଫରୁ ନମ୍ରତା ସାହୁ, କଂଗ୍ରେସ ପ୍ରାର୍ଥୀନୀ ଜ୍ୟୋତି ବେହେରା ଓ ଆମ ଆଦମୀ ପାର୍ଟି ପକ୍ଷରୁ ଯାଞ୍ଜସେନୀ ସାହୁ ଲଢେଇ କରୁଛନ୍ତି । ତେବେ ଆଗକୁ ନର୍ଲାର ରାଜନୈତିକ ପାଣିପାଗ କେମିତି ରହିବ ତାହା ସମୟ ହିଁ କହି ପାରିବ ।